ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପରାଜୟ ପରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଭାବପ୍ରବଣ ଚିଠି ଲେଖି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ସେ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟର ପ୍ରାର୍ଥୀଙ୍କ ଉପରେ ଭରସା ରଖିଥିବା ତାମିଲନାଡୁର ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଷ୍ଟାଲିନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି, ତାଙ୍କୁ ମିଳିଥିବା ପ୍ରତ୍ୟେକ ଭୋଟ୍ ଜନସାଧାରଣଙ୍କ ବିଶ୍ୱାସର ଏକ ମୂଲ୍ୟବାନ ପ୍ରତୀକ। ସେ କହିଛନ୍ତି, ଭୋଟ୍ ଗଣତି ଅନୁସାରେ, ଡିଏମ୍‌କେ ମେଣ୍ଟକୁ ମୋଟ ୧ କୋଟି ୫୪ ଲକ୍ଷ ୮୨ ହଜାର ୭୮୨ ଭୋଟ୍ ମିଳିଛି।

ଏଥିପାଇଁ ସେ ସମସ୍ତ ଭୋଟରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛନ୍ତି। ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ଅଧିକ ଆସନ ଜିତିଥିବା ଦଳଗୁଡ଼ିକ ଡିଏମ୍‌କେ ମେଣ୍ଟ ତୁଳନାରେ ମାତ୍ର ୧୭.୪୩ ଲକ୍ଷ ଅଧିକ ଭୋଟ ପାଇଛନ୍ତି। ଉଭୟଙ୍କ ମଧ୍ୟରେ ଭୋଟ ପ୍ରତିଶତର ପାର୍ଥକ୍ୟ ମାତ୍ର ୩.୫୨ ପ୍ରତିଶତ। ଷ୍ଟାଲିନ କହିଛନ୍ତି, ଏହା ସୂଚାଇ ଦେଉଛି ଯେ ଡିଏମ୍‌କେ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଏବେ ବି ରହିଛି। ସେପଟେ ଷ୍ଟାଲିନ ତାଙ୍କ ଦଳର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ତୁରନ୍ତ ନିଜ ନିଜ ନିର୍ବାଚନମଣ୍ଡଳୀକୁ ଫେରି ଜନସାଧାରଣଙ୍କୁ ଭେଟି ଧନ୍ୟବାଦ ଜଣାଇବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ରରେ ଜନସାଧାରଣ ସର୍ବୋଚ୍ଚ ଏବଂ ପ୍ରତ୍ୟେକ ରାଜନୈତିକ ପଦକ୍ଷେପ ଲୋକଙ୍କ ପାଇଁ ହେବା ଉଚିତ। ଦଳର ଇତିହାସ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଡିଏମକେ ଛଅ ଥର କ୍ଷମତାରେ ରହିଛି ଏବଂ ବିଜୟ ଏବଂ ପରାଜୟ ଉଭୟ ଅନୁଭବ କରିଛି। ସେ ସ୍ପଷ୍ଟ କରିଛନ୍ତି ପରିସ୍ଥିତି ଯେକୌଣସି ହେଉ ନା କାହିଁକି, ଦଳର ବିଚାରଧାରା ବଜାୟ ରଖିବା ତାଙ୍କର ପ୍ରାଥମିକତା।

ସେ କହିଛନ୍ତି, ଦଳର ପ୍ରକୃତ ଶକ୍ତି ସେହି କର୍ମୀମାନଙ୍କଠାରେ ରହିଛି ଯେଉଁମାନେ ବିଜୟ ଏବଂ ପରାଜୟକୁ ସମାନ ଭାବେ ଗ୍ରହଣ କରନ୍ତି ଏବଂ ଦଳର ନୀତି ଅନୁସରଣ କରନ୍ତି। ଏହା ସହ ଏମକେ ଷ୍ଟାଲିନ ତାଙ୍କ କର୍ମୀମାନଙ୍କୁ ପ୍ରଶଂସା କରି ସେମାନଙ୍କୁ ଆନ୍ଦୋଳନର ଜୀବନ ବୋଲି କହିଛନ୍ତି। ସେ କହିଛନ୍ତି,ଯେପର୍ଯ୍ୟନ୍ତ କର୍ମୀମାନେ ତାଙ୍କ ସହିତ ଅଛନ୍ତି, ସେପର୍ଯ୍ୟନ୍ତ ତାଙ୍କର କୌଣସି ଚିନ୍ତା ନାହିଁ। ସମସ୍ତ କର୍ମୀ ସେମାନଙ୍କ ନେତା କରୁଣାନିଧିଙ୍କ ପ୍ରତି ନିବିଡ଼ ଭାବେ ଜଡିତ। ଦଳ ଏହା ସହିତ ଆଗକୁ ବଢ଼ିବ ବୋଲି କହିଛନ୍ତି। ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି ।