ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଏବଂ ଆସାମ ରେ ଭାରତୀୟ ଜନତା ପାର୍ଟି ସରକାର କରିବାକୁ ଯାଉଛି । ଯାହାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ମମତା ବାନାର୍ଜୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ସେ କହିଛନ୍ତି ଯେ ଏହି ପରାଜୟ ପଛରେ ବିଜେପିର ସବୁପ୍ରକାର ଷଡ଼ଯନ୍ତ୍ର ଓ ଉପାୟ ଅବଲମ୍ବନ କରିଛି। ତାଙ୍କ ପାର୍ଟି ନିର୍ବାଚନ ହାରି ନାହିଁ ବରଂ ହରାଇ ଦିଆଗଲା। ଏହି ଲଢେଇ ବିଜେପି ସହିତ ନ ଥିଲା ବରଂ ନିର୍ବାଚନ ଆୟୋଗ ସହ ଥିଲା।
ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମିଶି ନିର୍ବାଚନ ଆୟୋଗଙ୍କ ବ୍ୟବହାର କରି ଆମକୁ ନିର୍ବାଚନରେ ହରାଇଛନ୍ତି। ତଥାପି ସେ ହାର୍ ମାନି ନାହାନ୍ତି। ପୁଣି ସେ ପ୍ରତ୍ୟାବର୍ତ୍ତନ କରିବେ।ଷଡ଼ଯନ୍ତ୍ରର ଅଭିଯୋଗ କରି ମମତା କହିଛନ୍ତି ଯେ, କୋଲକାତାରୁ ଆରମ୍ଭ କରି ଜଙ୍ଗଲମହଲ ପର୍ଯ୍ୟନ୍ତ ସବୁଠି ସ୍ଥିତି ଏକାଭଳି ଥିଲା ବୋଲି କହିଛନ୍ତି । ଏହା ସହ ତାଙ୍କୁ ହରାଇବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମିଶି ରଣନୀତି ପ୍ରସ୍ତୁତ କରିଥିଲେ।
ବିଜେପି ନିର୍ବାଚନ ଜିତିବା ପାଇଁ ସବୁପ୍ରକାର ଉପାୟ ଅବଲମ୍ବନ କରିଥିଲା, ଯେଉଁଥିରେ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର ମଧ୍ୟ ସାମିଲ ଅଛି। ସେ କହିଛନ୍ତି ଯେ ବିରୋଧୀମାନେ ଯେତେ ଚେଷ୍ଟା କଲେ ବି ସେ ଜନସାଧାରଣଙ୍କ ସହ ସବୁବେଳେ ରହିବେ ଏବଂ ଏହି ପରାଜୟର ସମୀକ୍ଷା କରିବେ ବୋଲି ମମତା ବାନାର୍ଜୀ କହିଛନ୍ତି। ସେ କହିଛନ୍ତି, ଆମେ ହାରି ଯାଇଥାଇ ପାରୁ, କିନ୍ତୁ ଆମର ମନୋବଳ ଭାଙ୍ଗିନି। ଆମେ ପୁଣି ଶୂନରୁ ଆରମ୍ଭ କରିବୁ ଏବଂ ଲୋକଙ୍କ ପାଖକୁ ଯିବୁ ବୋଲି ମମତା ବାନାର୍ଜୀ କହିଛନ୍ତି ।
