ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଟ୍-ୟୁଜି (NEET-UG) ପରୀକ୍ଷା ରଦ୍ଦ ହେବା ପରେ ଦେଶରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ସେ ଦାବି କରିଛନ୍ତି ଯେ ‘ନିଟ୍ ବର୍ତ୍ତମାନ ଏକ ନିଲାମ’ ଏବଂ ଲକ୍ଷ ଲକ୍ଷ ଛାତ୍ରଙ୍କ ଭବିଷ୍ୟତକୁ ରକ୍ଷା କରିବାରେ ସରକାର ବିଫଳ ହେଉଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) କହିଛି ଯେ ମେ ୩ ତାରିଖ ପରୀକ୍ଷା ସମ୍ପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲ ଅଧୀନରେ କରାଯାଇଥିଲା ଏବଂ ଏହା ଘଟଣାର ଅନୁସନ୍ଧାନ କରୁଥିବା ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସହଯୋଗ କରୁଛି।
ରାହୁଲ ଗାନ୍ଧୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ୮୯ଟି ଲିକ୍ ଏବଂ ୪୮ଟି ପୁନଃପରୀକ୍ଷା ହୋଇଛି। ତେବେ ସେ ଏହି ଦାବିର କୌଣସି ରିପୋର୍ଟ କିମ୍ବା ପ୍ରମାଣ ଦର୍ଶାଇନାହାନ୍ତି ବୋଲି କହିଛନ୍ତି । ସେପଟେ ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ପରୀକ୍ଷାର ୪୨ ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍ରେ ଅନେକ ପ୍ରଶ୍ନ ବିକ୍ରି ହେଉଥିଲା। ୨୨ ଲକ୍ଷରୁ ଅଧିକ ପିଲା ବର୍ଷସାରା ନିଦ୍ରାହୀନ ରାତି କଟାଇ ପାଠ ପଢ଼ିଥିଲେ ଏବଂ ଗୋଟିଏ ରାତିରେ ସେମାନଙ୍କ ଭବିଷ୍ୟତକୁ ବଜାରରେ ନିଲାମ କରାଯାଇଥିଲା। ଏହା ପ୍ରଥମ ଥର ନୁହେଁ। ୧୦ ବର୍ଷ ମଧ୍ୟରେ, ୮୯ଟି ପେପର ଲିକ୍ ହୋଇଛି ଓ ୪୮ଟି ପୁନଃ ପରୀକ୍ଷା ହୋଇଛି। ପ୍ରତ୍ୟେକ ଥର ସମାନ ପ୍ରତିଶ୍ରୁତି ଏବଂ ତା’ପରେ ସମାନ ନୀରବତା ବୋଲି ରାହୁଲ କହିଛନ୍ତି। ଭାରତର ଯୁବପିଢ଼ିଙ୍କ ସ୍ୱପ୍ନ ପାଇଁ ମୋଦୀ ସରକାରଙ୍କଠାରୁ ବଡ଼ ବିପଦ ଆଉ କିଛି ନାହିଁ ବୋଲି ସେ କହିଛନ୍ତି।
