ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ସାମ୍ନାକୁ ଆସିଲା ପ୍ରଥମ ବୁଲେଟ୍ ଟ୍ରେନର ପ୍ରସ୍ତାବିତ ଡିଜାଇନ୍ । ତେବେ ରେଳ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ରାଜଧାନୀ ସ୍ଥିତ କାର୍ଯ୍ୟାଳୟରେ ଏହି ଅତ୍ୟାଧୁନିକ ଟ୍ରେନର ପ୍ରଥମ ଫଟୋରୁ ପ୍ରଦର୍ଶିତ କରାଯାଇଛି । ସେପଟେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଥିଲେ ଯେ ୫୦୮ କିଲୋମିଟର ଲମ୍ବା ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ (MAHSR) ପ୍ରକଳ୍ପ ମହାରାଷ୍ଟ୍ର, ଗୁଜରାଟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗର ହାବେଳି ଦେଇ ଗତି କରିବ । ଏହି ରାସ୍ତାରେ ମୋଟ ୧୨ଟି ଷ୍ଟେସନ ରହିବ । ଅନ୍ୟପଟେ ଗୁଜରାଟର ସମସ୍ତ ଆଠଟି ଷ୍ଟେସନ (ଭାପି, ବିଲିମୋରା, ସୁରଟ, ଭରୁଚ, ଆନନ୍ଦ, ଭଦୋଦରା, ଅହମଦାବାଦ ଏବଂ ସାବରମତୀ)ରେ ଭିତ୍ତିଭୂମି କାର୍ଯ୍ୟ ସମାପ୍ତ ହୋଇଛି । ମହାରାଷ୍ଟ୍ରର ଥାଣେ, ଭିରାର ଏବଂ ବୋଇସରରେ କାମ ଦ୍ରୁତ ଗତିରେ ଚାଲିଛି ।
ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (BKC) ଷ୍ଟେସନରେ ଖନନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ରାସ୍ତାରେ ୧୭ଟି ନଦୀ ସେତୁ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ଗୁଜରାଟର ଚାରୋଟି ପ୍ରମୁଖ ନଦୀ ନର୍ମଦା, ମାହି, ତାପ୍ତୀ ଏବଂ ସାବରମତୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ରହିଛି । ଏହା ବ୍ୟତୀତ, ମହାରାଷ୍ଟ୍ରରେ ଚାରୋଟି ନଦୀ ସେତୁ ନିର୍ମାଣାଧୀନ ଅଛି । ମୁମ୍ବାଇର ବିକେସିରେ ଖନନ କାର୍ଯ୍ୟ ପ୍ରାୟ ୯୧% ସମାପ୍ତ ହୋଇଛି । ସମୁଦ୍ର କୂଳରେ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏଥିରେ ଘନସୋଲି ଏବଂ ଶିଳଫଟା ମଧ୍ୟରେ ୪.୮ କିଲୋମିଟର ଅଂଶ ସମ୍ପୂର୍ଣ୍ଣ ହୋଇସାରିଛି ।
