ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ): ‘ବିସିସିଆଇ ସୂଚନା ଅଧିକାର ଆଇନର (ଆରଟିଆଇ) ପରିସରଭୁକ୍ତ ନୁହେଁ ।’ ପୂର୍ବ ରାୟରେ ପରିବର୍ତ୍ତନ କରି ଏ କଥା କହିଛନ୍ତି କେନ୍ଦ୍ର ସୂଚନା କମିଶନ (ସିଆଇସି) । ସରକାରଙ୍କ ନିୟନ୍ତ୍ରଣ ବୋର୍ଡର ଆର୍ଥିକ ସନ୍ତୁଳନକୁ ବିଗାଡ଼ି ଦେଇପାରେ ବୋଲି ସେ ଚେତାଇ ଦେଇଛନ୍ତି । ଦୀର୍ଘ ଏକ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ବିସିସିଆଇକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରିବା ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ ଜାରି ରହିଛି ।
ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅଜୟ ମାକେନଙ୍କ ଠାରୁ ବର୍ତ୍ତମାନର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ପ୍ରୟାସ କରି ବିଫଳ ହୋଇଛନ୍ତି । ନୂଆ ଜାତୀୟ କ୍ରୀଡ଼ା ଆଇନରୁ ମଧ୍ୟ ବିସିସିଆଇକୁ ଦୂରେଇ ରଖାଯାଇଛି ।
୨୦୧୭ରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସିଆଇସି । କେମିତି ବିସିସିଆଇ ଭାରତରୁ ପ୍ରତିନିଧିତ୍ୱ କରୁଛି, ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ ଏବଂ ବୋର୍ଡର ଅନ୍ୟାନ୍ୟ କାର୍ଯ୍ୟଧାରା ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଲୋଡ଼ା ଯାଇଥିଲା । ସିଆଇସି ତାଙ୍କ ରାୟରେ କହିଛନ୍ତି, ବିସିସିଆଇର ପରିଚାଳନାରେ ସରକାରୀ ପର୍ଯ୍ୟବେକ୍ଷଣ ଆଦୌ ସମୁଚିତ ହେବ ନାହିଁ । ବରଂ ସରକାରୀ ନିୟନ୍ତ୍ରଣ ବୋର୍ଡର ଆର୍ଥିକ ସନ୍ତୁଳନକୁ ବିଗାଡ଼ି ଦେବ ।’ ବିସିସିଆଇରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟ ଯେଉଁ ଜଷ୍ଟିସ ଲୋଧା କମିଟି ନିଯୁକ୍ତ କରିଥିଲେ ତାହା କେବଳ ପରାମର୍ଶମୂଳକ ଥିଲା ବୋଲି ସିଆଇସି କହିଛନ୍ତି । ୨୦୧୮ରେ କମିଶନ କହିଥିଲେ, ବିସିସିଆଇ ଏକ ସରକାରୀ କର୍ତ୍ତୃପକ୍ଷ (ପବ୍ଲିକ ଅଥୋରିଟି), ତେଣୁ ଏହା ସୂଚନା ଅଧିକାର ଆଇନର ଅଧିନରେ ଆସୁଛି ।
ବୋର୍ଡର ସଭାପତି, ସମ୍ପାଦକ ଏବଂ ସିଓଏ (ପରିଚାଳନା) କମିଟିକୁ ନିର୍ଦ୍ଦେଶ ଦେଇ କହିଥିଲେ, ଜଣେ ସୂଚନା ଅଧିକାରୀଙ୍କୁ ନିଯୁକ୍ତ ଦେବା ସହ ବୋର୍ଡ ସଂପର୍କରେ ବିଭିନ୍ନ ତଥ୍ୟ ଜାଣିବା ପାଇଁ ଉଭୟ ଅନଲାଇନ ଓ ଅଫ୍ ଲାଇନରେ ଆବେଦନକାରୀଙ୍କ ଦରଖାସ୍ତ ଗ୍ରହଣ କରାଯିବା ଆବଶ୍ୟକ । ବିସିସିଆଇ ସିଆଇସିଙ୍କ ରାୟକୁ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଏବେ କମିଶନ ପୂର୍ବ ରାୟକୁ ପରିବର୍ତ୍ତନ କରିଛନ୍ତି । ସ୍ପଷ୍ଟୀକରଣ ଦେଇ କମିଶନ କହିଛନ୍ତି, ଆରଟିଆଇ ନିୟମ ଅନୁସାରେ ସୁପ୍ରିମ କୋର୍ଟ ବିସିସିଆଇକୁ ସରକାରୀ କର୍ତ୍ତୃପକ୍ଷ ବୋଲି ଘୋଷଣା କରିନଥିଲେ । ବିସିସିଆଇ ତାମିଲନାଡୁର ସୋସାଇଟି ପଞ୍ଜୀକରଣ ନିୟମ ଆଧାରରେ ପଞ୍ଜିକୃତ ହୋଇଛି ।
