ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସପ୍ତାହରେ ଦ୍ୱିତୀୟ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର । ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଥିବା ବେଳେ, ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିଛି। ମଙ୍ଗଳବାର ସକାଳୁ ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଛି। ଗତ ଶୁକ୍ରବାର ତେଲ ଦର ପ୍ରାୟ ୩ ଟଙ୍କା ବଢ଼ିବା ପରେ, ଚଳିତ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ବୃଦ୍ଧି।
ସେପଟେ ତୈଳ କମ୍ପାନୀଗୁଡ଼ିକର ସୂଚନା ଅନୁଯାୟୀ, ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପ୍ରାୟ ୯୦ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ନଗରୀ ମୁମ୍ବାଇରେ ପେଟ୍ରୋଲ ୯୧ ପଇସା ବୃଦ୍ଧି ସହ ୧୦୭.୫୯ ଟଙ୍କା ଏବଂ ଡିଜେଲ ୯୪ ପଇସା ବଢ଼ି ୯୪.୦୮ ଟଙ୍କା ହୋଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୭ ପଇସା ବଢ଼ି ୯୮.୬୪ ଟଙ୍କା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇ ୯୧.୫୮ ଟଙ୍କାରେ ପହଞ୍ଚିଛି।
ଅନ୍ୟପଟେ ଆନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୧୧୧ ଡଲାର ଟପିଯାଇଥିବାରୁ ଏହାର ପ୍ରଭାବ ଓଡ଼ିଶା ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟାନ୍ୟ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ପୁଣି ଥରେ ୧୦୫.୦୯ ଟଙ୍କା ପାଖାପାଖି ପହଞ୍ଚିଥିବା ବେଳେ ମାଲକାନଗିରି ଓ କୋରାପୁଟ ଭଳି ଦୂରବର୍ତ୍ତୀ ଜିଲ୍ଲାରେ ଏହା ୧୦୮ ଟଙ୍କା ପାର୍ କରିସାରିଛି।
