ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ଫଲତା ବିଧାନସଭା ଆସନର ପୁନଃ-ମତଦାନ ପୂର୍ବରୁ ତୃଣମୂଳ କଂଗ୍ରେସ ଶିବିରରେ ଏକ ବଡ଼ ବିପର୍ଯ୍ୟୟ ଦେଖାଦେଇଛି। ମତଦାନର ଠିକ୍ ଗୋଟିଏ ଦିନ ପୂର୍ବରୁ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ୍ ହଠାତ୍ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ନିର୍ବାଚନ ମୈଦାନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କ ସ୍ଥିତି ବେଶ୍ ମଜଭୁତ ହୋଇପଡ଼ିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଫଲତା ଅଞ୍ଚଳରେ ଏକ ବିଶାଳ ରୋଡ୍‌-ସୋ କରୁଥିଲେ, ଠିକ୍ ସେହି ସମୟରେ ଜାହାଙ୍ଗୀର ଖାନ୍ ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ, ସେ ନେଇ ସେ ସ୍ପଷ୍ଟୀକରଣ ରଖିଛନ୍ତି।

ଅନ୍ୟପଟେ ରାଜନୀତି ସମୀକ୍ଷକ ମତ,
“ଦକ୍ଷିଣ ୨୪ ପ୍ରଗଣା ଭଳି ଟିଏମସିର ଗଡ଼ରେ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଓହରିଯିବା ଦଳ ପାଇଁ ଏକ ବଡ଼ ମନୋବଳ ଭାଙ୍ଗିବା ସଦୃଶ। ଏହା ବିଜେପିର ବଢୁଥିବା ପ୍ରଭାବକୁ ଦର୍ଶାଉଛି।”

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୯ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବ୍ୟାପକ ହିଂସାକାଣ୍ଡ, ଭୋଟରଙ୍କୁ ଭୟଭୀତ କରିବା ଏବଂ ଇଭିଏମ୍ ସହ ଛିନଛତ୍ର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଭାରତୀୟ ନିର୍ବାଚନ କମିଶନ ଫଲତାର ସମସ୍ତ ୨୮୫ଟି ପୋଲିଂ ଷ୍ଟେସନରେ ଆସନ୍ତା ମେ ୨୧ ତାରିଖରେ ପୁନଃ-ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ନିର୍ବାଚନ ହିଂସା ମାମଲାରେ ଜାହାଙ୍ଗୀର ଖାନ୍‌ଙ୍କ ନାମରେ ଏକାଧିକ ଏଫ୍‌ଆଇଆର୍ ରହିଥିଲା। ନିଜକୁ ଗିରଫଦାରୀରୁ ବର୍ତ୍ତାଇବା ପାଇଁ ସେ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ହାଇକୋର୍ଟ ତାଙ୍କୁ ଆସନ୍ତା ମେ ୨୪ ତାରିଖ ପର୍ଯ୍ୟନ୍ତ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆଶ୍ୱସ୍ତି ଦେଇଥିଲେ ମଧ୍ୟ, ମତଦାନର ପୂର୍ବରୁ ସେ ରଣକ୍ଷେତ୍ରରୁ ଓହରିଯିବା ସମସ୍ତଙ୍କୁ ଚକିତ କରିଛି।
ଏହି ଘଟଣା ପରେ ଟିଏମସି ଶିବିର ସମ୍ପୂର୍ଣ୍ଣ ନୀରବ ରହିଥିବା ବେଳେ ବିଜେପି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।