ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ NEET ପରୀକ୍ଷା ପତ୍ର ଲିକ୍ ମାମଲାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ମେଲୋଡିକୁ ନେଇ ରାଜନୀତି ବେଶ୍ ସରଗରମ ହୋଇଉଠିଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ବନ୍ଧୁତା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି; ଅନ୍ୟପଟେ କଂଗ୍ରେସ ଦଳ ଏହି ମାମଲାରେ ଲଗାତାର ସମାଲୋଚନା କରୁଛି । କଂଗ୍ରେସର କେରଳ ୟୁନିଟ୍ ସିଧାସଳଖ ପଚାରିବାକୁ ମଧ୍ୟ ପଛାଇ ନଥିଲାଯେ, “ମେଲୋଡି ଏତେ ଚକୋଲେଟି କାହିଁକି?” ଏହି ସମୟରେ, ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ସରକାରଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ଲୋକମାନେ “ଦୁଃଖ” ସହ୍ୟ କରୁଥିବା ବେଳେ ମୋଦି ପ୍ରଶାସନ ଜନତାଙ୍କୁ ଭାଷଣର “ମେଲୋଡି” ସହିତ ଆନନ୍ଦିତ କରିବାକୁ ଚାହୁଁଛନ୍ତି । ତେବେ X ରେ ପୋଷ୍ଟ କରି ସେ ଲେଖିଛନ୍ତି: “୨୦୧୪ ମସିହାରେ ଏକ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୧୪ଟଙ୍କା ଥିଲା, ଯାହା ଏବେ (୨୦୨୬ ମସିହାରେ) ୯୧୫.୫ ରେ ପହଞ୍ଚିଛି (୧୨୧% ବୃଦ୍ଧିକୁ ପ୍ରତିନିଧିତ୍ୱ କରୁଛି)। ବାଣିଜ୍ୟିକ ସିଲିଣ୍ଡର ମଧ୍ୟ ୧,୨୪୧ ରୁ ୩,୧୫୨ ରେ ପହଞ୍ଚିଛି। କ୍ଷୀର, ରୁଟି, ଔଷଧ ଏବଂ CNG ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରମଶଃ ମହଙ୍ଗା ହେଉଛି।
ଗତ ୧୨ ବର୍ଷ ମଧ୍ୟରେ, ସରକାର ଇନ୍ଧନ ଉପରେ ଟିକସ ଲଗାଇ ଜନସାଧାରଣଙ୍କଠାରୁ ପ୍ରାୟ ୪୩ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି । ୧୫ ରୁ ୨୯ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ବେକାରୀ ହାର ମାର୍ଚ୍ଚ ୨୦୨୬ ରେ ୧୫.୨% ରେ ପହଞ୍ଚିଛି । ଗତ ନଅ ମାସରେ ରେକର୍ଡ ହୋଇଥିବା ସର୍ବୋଚ୍ଚ ସ୍ତର।”ସେ ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ଧରି ଭାଜପାର କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ୯୦ଟି ସରକାରୀ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଛି, ଯାହା ପ୍ରାୟ ୯ କୋଟି ଯୁବତୀଯୁବକଙ୍କ ଭବିଷ୍ୟତକୁ ପ୍ରଭାବିତ କରିଛି । ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ଏହାର ସର୍ବନିମ୍ନ ସ୍ତର (ପ୍ରାୟ ୯୬.୯୦) ଛୁଇଁଛି।
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ, ଗତ ଦୁଇ ମାସ ମଧ୍ୟରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ପ୍ରାୟ ୩୮ ବିଲିୟନ ଡଲାର ହ୍ରାସ ପାଇଛି। ବିଦେଶୀ ନିବେଶକମାନେ ୨୦୨୬ ମସିହାରେ ଏପର୍ଯ୍ୟନ୍ତ ଭାରତୀୟ ଷ୍ଟକ୍ ବଜାରରୁ ୨.୨ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି – ଯାହା ୨୦୨୫ ମସିହାରେ ପ୍ରତ୍ୟାହାର କରାଯାଇଥିବା ପରିମାଣ (୧.୬୬ ଲକ୍ଷ କୋଟି) ଅପେକ୍ଷା ମଧ୍ୟ ଅଧିକ ବୋଲି କହିଛନ୍ତି ।
