ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମା’ଙ୍କ ସର୍ଜରୀ ପାଇଁ ଜେଏନ୍‌ୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦକୁ ମିଳିଲା ୩ ଦିନିଆ ଅନ୍ତରୀଣ ଜାମିନ୍‌ । ତେବେ ୨୦୨୦ ଦଙ୍ଗା ମାମଲାରେ ଜେଲରେ ଥିବା ଜେଏନ୍‌ୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦକୁ ତାଙ୍କ ମା’ଙ୍କ ସର୍ଜରୀ ପାଇଁ ଜୁନ୍‌ ୧ ତାରିଖରୁ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରୁ ଜାମିନ୍‌ ମିଳିଛି। ମେ ୧୯ରେ ଏକ ଟ୍ରାଏଲ୍ କୋର୍ଟ ଖାଲିଦର ଅନ୍ତରୀଣ ଜାମିନ୍‌ ଆବେଦନକୁ ଖାରଜ କରିଦେଇଥିଲା। ପ‌ରେ ଖାଲିଦ ୨୨ ମେ ରୁ ୫ ଜୁନ୍ ପର୍ଯ୍ୟନ୍ତ ୧୫ ଦିନର ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେ ନିଜ ମୃତ ସମ୍ପର୍କୀୟଙ୍କ ଚେହଲୁମ୍ ସମାରୋହରେ ଯୋଗଦେବା ଓ ଜୁନ୍ ୨ ରେ ତାଙ୍କ ୬୨ ବର୍ଷୀୟ ମା’ଙ୍କର ସର୍ଜରୀ ପରବର୍ତ୍ତୀ ଯତ୍ନ ନେବା ପାଇଁ ଜାମିନ ଆବେଦନ କରିଥିଲେ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ନବୀନ ଚାୱଲା ଓ ଅରବିନ୍ଦ ଡୁଡେଜାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଉମର ଖାଲିଦଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ଜୁନ୍ ୧ ତାରିଖ ସକାଳ ୭ଟାରୁ ଜୁନ୍ ୩ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୈଧ ରହିବ।ଜାମିନ୍ ଆବେଦନରେ ଖାଲିଦ୍‌ ଦର୍ଶାଇଥିଲା ଯେ, ତା’ର ମା’ ସବିହା ଖାନମ୍‌ଙ୍କର ଗତ ଦୁଇ ବର୍ଷ ଧରି ପିଠିରେ ଗଣ୍ଠି ଓ ସିଷ୍ଟ୍‌ ଗଠନ ସମସ୍ୟା ରହିଛି ଓ ଏହି ମାସରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇଛି। ତାଙ୍କ ୭୧ ବର୍ଷୀୟ ବାପା ଏକୁଟିଆ ମା’ଙ୍କ ଯତ୍ନ ନେଇପାରିବେ ନାହିଁ। ଘରର ବଡ଼ପୁଅ ଓ ଏକମାତ୍ର ପୁଅ ଭାବେ ସେ ନିଜ ମା’ର ଯତ୍ନ ନେବାକୁ ଚାହୁଛନ୍ତି। ଖାଲିଦ କୋର୍ଟକୁ ଆହୁରି କହିଥିଲା ଯେ, ତାଙ୍କୁ ପୂର୍ବରୁ ପାରିବାରିକ କାର୍ଯ୍ୟକ୍ରମ ପାଇଁ ୨୦୨୨, ୨୦୨୪ ଓ ୨୦୨୫ରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଦିଆଯାଇଥିଲା ଓ ପ୍ରତ୍ୟେକ ଥର ସେ ସମସ୍ତ ସର୍ତ୍ତ ପାଳନ କରିଥିଲା।