ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୁବ୍ କମ୍ ସମୟ ମଧ୍ୟରେ ଦେଶରେ କକ୍ରୋଚ୍ ଜନତା ପାର୍ଟି ବେଶ୍ ଲୋକପ୍ରିୟ ହୋଇପାରିଛି । ଏହା ମଧ୍ୟରେ କକ୍ରୋଚ୍ ଜନତା ପାର୍ଟିର ଫଲୋଅର୍ସକୁ ନେଇ ଅନେକ ପ୍ରଶ୍ନ ଉଠେଇଥିଲେ । ଅନେକଙ୍କ କହିବା କଥା ଏହାର ଅଧିକାଂଶ ଫଲୋଅର୍ସ ପାକିସ୍ଥାନ ଆଉ ବିଦେଶୀ ଦେଶର । ହେଲେ ଏହି ସବୁ କଥାକୁ ନେଇ ଆଜି ମୁହଁ ଖୋଲିଛନ୍ତି ପ୍ରତିଷ୍ଠାତା ଅଭିଜିତ ଦୀପକେ। ତେବେ ଅଭିଜିତ ନିଜ ଆକାଉଣ୍ଟର ଅଡିଏନ୍ସ ଆନାଲିଟିକ୍ସର ଏକ ସ୍କ୍ରିନସଟ୍ ଏବଂ ସ୍କ୍ରିନ ରେକର୍ଡିଂ ‘ଏକ୍ସ’ ରେ ସେୟାର କରି ପ୍ରମାଣ କରିଛନ୍ତି ଯେ ତାଙ୍କ ପେଜର ୯୪ ପ୍ରତିଶତରୁ ଅଧିକ ଫଲୋଅର୍ସ କେବଳ ଭାରତରୁ ଅଟନ୍ତି।
ଏହାସହ ବୋଷ୍ଟନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ଅଭିଜିତ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ, ସେ କେଉଁ ଆଧାରରେ ପ୍ରତିବାଦ କରୁଥିବା ଭାରତୀୟ ଯୁବପିଢ଼ିଙ୍କୁ ପାକିସ୍ତାନୀ ବୋଲି କହୁଛନ୍ତି ?ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରି ଲେଖିଥିଲେ ଯେ, ଯେଉଁମାନେ ପାକିସ୍ତାନ ଗ୍ୟାଙ୍ଗର ସାହାଯ୍ୟରେ ନିଜର ଫଲୋଅର୍ସ ବଢ଼ାଉଛନ୍ତି, ସେମାନଙ୍କ ଉପରେ ଦୟା ଆସେ ।
ଏହାପରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଦାବି କରିଥିଲେ ଯେ ”କକ୍ରୋଚ୍ ଜନତା ପାର୍ଟି” ର ପ୍ରାୟ ୪୯ ପ୍ରତିଶତ ଫଲୋଅର୍ସ ପାକିସ୍ତାନରୁ ଅଟନ୍ତି ଏବଂ ମାତ୍ର ୯ ପ୍ରତିଶତ ଭାରତରୁ ଅଛନ୍ତି । କେରଳ ବିଜେପି ସଭାପତି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ଏହା ଭାରତକୁ ଅସ୍ଥିର କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ସୀମା ପାର୍ଶ୍ୱରୁ ପରିଚାଳିତ ଏକ କ୍ଲାସିକ ଇନଫ୍ଲୁଏନ୍ସ ଅପରେସନର ଅଂଶବିଶେଷ ।
ସେ କହିଛନ୍ତି ଯେ କୋଭିଡ ମହାମାରୀ, ରୁଷ-ୟୁକ୍ରେନ ଯୁଦ୍ଧ, ଆମେରିକା-ଇରାନ ଯୁଦ୍ଧ ଏବଂ ଚୀନର ଆକ୍ରୋଶମୂଳକ ଆଭିମୁଖ୍ୟ ଭଳି ବଡ଼ ବଡ଼ ବିଶ୍ୱସ୍ତରୀୟ ସଙ୍କଟ ସତ୍ତ୍ୱେ ପିଏମ ମୋଦୀ ଦେଶର ଅର୍ଥନୀତିକୁ ସୁରକ୍ଷିତ ଓ ଅଭିବୃଦ୍ଧିଶୀଳ ରଖିଛନ୍ତି, ଯାହା ଅନେକ ବିଦେଶୀ ରାଷ୍ଟ୍ରଙ୍କୁ ସହ୍ୟ ହେଉନାହିଁ ଏବଂ ସେମାନେ ବଟ୍ସ ଓ କୃତ୍ରିମ ବୁଦ୍ଧିମତା(ଏଆଇ) ମାଧ୍ୟମରେ ନକଲି ବିବରଣୀ ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ।
