ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ବିଜେଡି ରାଜନୀତିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି। ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି। ଦେବାଶିଷ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଆଜି ସେ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କୁହାଯାଉଛି । ଇସ୍ତଫା ଦେଇ ସେ ବିଜେପିରେ ସାମିଲ ହେବେ ଏବଂ ତାଙ୍କୁ ବିଜେପି ପକ୍ଷରୁ ପୁଣି ରାଜ୍ୟସଭାକୁ ମନୋନୀତ କରାଯିବ ବୋଲି କୁହାଯାଉଛି।
ଦେବାଶିଷଙ୍କ ଇସ୍ତଫା କଟକ ରାଜନୀତିରେ ବିଜେଡିକୁ ବଡ଼ ଝଟକା ଦେଇଛି। ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଥିଲେ। ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା। ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନ ଥିଲା। ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି (ବରିଷ୍ଠ ନାଗରିକ) ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ। ଗତ କିଛି ମାସ ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟୀକା ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ। ଦେବାଶିଷ ଯଦି ବିଜେପିରେ ଯୋଗ ଦିଅନ୍ତି, ତେବେ ତାହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି। ଏବେ ଦେବାଶିଷଙ୍କ ଆଗାମୀ ପଦକ୍ଷେପ କଣ ରହୁଛି ତାହାରି ଉପରେ ନଜର ।
