ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୋକଙ୍କ ସରକାର ବୋଲି ପ୍ରଚାର କରୁଥିବା ବିଜେପି ସରକାରରେ ବରିଷ୍ଠ ନାଗରିକ ଓ ଜନପ୍ରତିନିଧିମାନଙ୍କୁ ପ୍ରଶାସନିକ ଅଧିକାରୀମାନେ କିଭଳି ସମ୍ମାନ ଦେଉଛନ୍ତି, ତାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ | ଆଗଲପୁର ବ୍ଲକରେ ଜିଲ୍ଲାପାଳ ଓ SP ଙ୍କ ମିଳିତ ଜନଶୁଣାଣୀ ଚାଲିଥିବା ବେଳେ ଲୋକଙ୍କର କିଛି ଅଭିଯୋଗ ନେଇ ପହଂଚିଥିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର | ଶ୍ରୀମିଶ୍ରଙ୍କ ବୟସ ପ୍ରାୟ ୮୫ ବର୍ଷ | ହେଲେ ଯେତେବେଳେ ସେ ନିଜ ଅଭିଯୋଗ ପତ୍ର ନେଇ ଜିଲ୍ଲାପାଳ ଓ SP ଙ୍କ ସାମ୍ନାରେ ପହଞ୍ଚିଲେ, ସେତେବେଳେ ଅଧିକାରୀମାନେ କୌଣସି ସୌଜନ୍ୟତା ଦେଖାଇନଥିଲେ | ଏମିତିକି ଜଣେ ପୂର୍ବତନ ଜନପ୍ରତିନିଧି ଓ ବରିଷ୍ଠ ନାଗରିକ ହୋଇଥିବା ସତ୍ତ୍ୱେ ଶ୍ରୀମିଶ୍ର ଛିଡା ହୋଇ ନିଜ ଅଭିଯୋଗ ଜଣାଇଥିଲେ | ତାଙ୍କୁ ଚୌକି ଟିଏ ମଧ୍ୟ ବସିବାକୁ ଦିଆଯାଇନଥିଲା | ଏପରିକି ଅଭିଯୋଗପତ୍ର ନେବା ସମୟରେ ଜିଲ୍ଲାପାଳ ନିଜ ଆସନରେ ବସିଥିବା ବେଳେ ବାଳଗୋପାଳ ମିଶ୍ର ଛିଡ଼ାହୋଇ ଦାବିପତ୍ର ଦେଇଥିଲେ |

ଏହି ସମୟର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଜଣେ ପୂର୍ବତନ ଜନପ୍ରତିନିଧିଙ୍କୁ ଜିଲ୍ଲା ପ୍ରଶାସନ ସାମାନ୍ୟ ସୌଜନ୍ୟତା ନଦେଖାଇବା ଓ ବରିଷ୍ଠ ନାଗରିକ ହୋଇଥିବା ସତ୍ତ୍ୱେ ବସିବାକୁ ଚୌକି ଟିଏ ନଦେବାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି |