ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ସାମୁଦ୍ରିକ ଥାନାରୁ ଆସିଛି ପୁଲିସ ବର୍ବରତାର ଏକ ସାଂଘାତିକ ଚିତ୍ର। ନ୍ୟାୟ ଆଶାରେ ଥାନାକୁ ଯାଇଥିବା ଜଣେ ମା’ ଓ ତାଙ୍କ ପୁଅଙ୍କୁ ପୁଲିସ ପକ୍ଷରୁ ଅମାନବିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅଭିଯୋଗ ଅନୁସାରେ, ଥାନାରେ ଏତଲା ଦେବାକୁ ଯାଇଥିବା ମହିଳାଙ୍କୁ ପୁଲିସ କର୍ମଚାରୀମାନେ ଅର୍ଦ୍ଧଉଲଗ୍ନ କରି ମାଡ଼ ମାରିଥିବା ବେଳେ ତାଙ୍କ ପୁଅଙ୍କୁ ଶୌଚାଳୟ ଭିତରେ ପୁରାଇ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ପ୍ରାୟ ୬ ଘଣ୍ଟା ଧରି ଥାନା ଭିତରେ ଅଟକ ରଖି ନିର୍ଯାତନା ଦିଆଯାଇଥିବା କୁହାଯାଉଛି।

ସବୁଠାରୁ ଗୁରୁତର ଅଭିଯୋଗ ହେଲା, ଥାନାର ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଜେ ମହିଳାଙ୍କ ମଥାରୁ ସିନ୍ଦୂର ପୋଛିଦେଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ପରେ ମା’ ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ମୁଖ୍ୟାଳୟ ପକ୍ଷରୁ ତତ୍କାଳ ଆକ୍ସନ ନିଆଯାଇଛି। ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ତାଳଚୁଆ ସାମୁଦ୍ରିକ ଥାନାର ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସପେଣ୍ଡ କରାଯାଇଛି। ଓଡ଼ିଶା ପୁଲିସ ମୁଖ୍ୟାଳୟରୁ ଜାରି ହୋଇଥିବା ଆଦେଶରେ ତାଙ୍କ ବିରୋଧରେ “ଗୁରୁତର ଅନୁଶାସନହୀନତା ଓ କର୍ତ୍ତବ୍ୟରେ ଅବହେଳା” ଅଭିଯୋଗରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ଉଲ୍ଲେଖ ରହିଛି।

ସସପେଣ୍ଡ ଅବଧିରେ ସେ କଟକ ଆଇଜିଙ୍କ ନିୟନ୍ତ୍ରଣରେ ରହିବେ ବୋଲି ଆଦେଶରେ କୁହାଯାଇଛି। ଏହି ଘଟଣା ପରେ ପୁଲିସର କାର୍ଯ୍ୟଶୈଳୀକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ସାଧାରଣ ଲୋକ ନ୍ୟାୟ ପାଇଁ ଥାନାକୁ ଯିବେ ନା ପୁଲିସ ନିର୍ଯାତନାର ଶିକାର ହେବେ ବୋଲି ବିଭିନ୍ନ ମହଳରେ ଚର୍ଚ୍ଚା ଚାଲିଛି।