ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ +୨ ବିଜ୍ଞାନ ଶ୍ରେଣୀ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଉପଲବ୍ଧ ହେବ । କେବଳ ଓଡ଼ିଆ ଭାଷାରେ ବିଜ୍ଞାନ ପଢ଼ିବେନି, ପରୀକ୍ଷା ବି ଦେଇପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ର ମିଳିତ ପ୍ରୟାସରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ସାମସ୍ ପୋର୍ଟାଲରେ ନାମଲେଖା ଫର୍ମ ପୂରଣ ବେଳେ ଛାତ୍ରଛାତ୍ରୀମାନେ ଏବେ ବିନା ଦ୍ୱିଧାରେ ବିଜ୍ଞାନକୁ ପ୍ରଥମ ପସନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି ।ରାଜ୍ୟର ସାଢ଼େ ୬ ହଜାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଏହି ଓଡ଼ିଆ ବିଜ୍ଞାନ ବହି ଯୋଗାଇ ଦିଆଯାଉଛି । ଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ଏଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଏହାର ସମୀକ୍ଷା କରି ସମସ୍ତ ଅଧିକାରୀଙ୍କୁ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିବର୍ଷ ପ୍ରାୟ ସାଢ଼େ ୫ ଲକ୍ଷ ପିଲା ଓଡ଼ିଆ ମାଧ୍ୟମରେ ମାଟ୍ରିକ୍ ପାସ୍ କରୁଥିଲେ ମଧ୍ୟ ଇଂରାଜୀ ଭୟରେ ବିଜ୍ଞାନ ପଢୁନଥିଲେ, ଯାହାଫଳରେ +୨ ବିଜ୍ଞାନରେ ପ୍ରାୟ ୮୦ ହଜାର ସିଟ୍ ଖାଲି ପଡ଼ୁଥିଲା ।ଏହି ସମସ୍ୟାର ସମାଧାନ ପାଇଁ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ପକ୍ଷରୁ ପ୍ରଥମେ ଇଞ୍ଜିନିୟରିଂ ଏବଂ ଏବେ +୨ ବିଜ୍ଞାନ ବହି ଓଡ଼ିଆରେ ପ୍ରସ୍ତୁତ କରାଯାଇଛି । ଓଡ଼ିଆରେ ନିଟ୍ ଏବଂ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ଆସୁଥିବାରୁ ଓଡ଼ିଆରେ ପଢ଼ୁଥିବା ପିଲା ବିନା କୋଚିଂରେ ସହଜରେ ଡାକ୍ତର ଓ ଇଞ୍ଜିନିୟର ହୋଇପାରିବେ ।