ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ । ହେଲମେଟ୍‌ ପିନ୍ଧି ଦୌଡ଼ିଲେ ଟିଏମସି ସାଂସଦ । ତେବେ ନିର୍ବାଚନ ସମୟରେ ହୋଇଥିବା ହିଂସାକାଣ୍ଡର ପୀଡ଼ିତ ପରିବାରବର୍ଗଙ୍କୁ ଭେଟିବା ପାଇଁ ପହଞ୍ଚିଥିବା ତୃଣମୂଳ କଂଗ୍ରେସ (TMC) ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଛି। ଉତ୍ତ୍ୟକ୍ତ ଲୋକେ ତାଙ୍କ ଉପରେ ଆକ୍ରମଣ କରିବା ସହ ପଥରମାଡ଼ କରିଛନ୍ତି। ପରିସ୍ଥିତି ଏଭଳି ଜଟିଳ ହୋଇଗଲା ଯେ, ନିଜ ସୁରକ୍ଷା ପାଇଁ ଅଭିଷେକ ବାନାର୍ଜୀଙ୍କୁ ମୁଣ୍ଡରେ ହେଲମେଟ ପିନ୍ଧି ସେଠାରୁ ଦୌଡ଼ି ପଳାଇବାକୁ ପଡ଼ିଛି ।

ଏହି ସଂଘର୍ଷ ଏବଂ ଆକ୍ରମଣ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟା ଦେଇ ସାଂସଦ ଅଭିଷେକ ବାନାର୍ଜୀ ଏଥିପାଇଁ ଭାରତୀୟ ଜନତା ପାର୍ଟି (BJP)କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଏହି ସମସ୍ତ ଆକ୍ରମଣ ବିଜେପି ଦ୍ୱାରା ଯୋଜନାବଦ୍ଧ ଭାବେ କରାଯାଇଛି। ବିଜେପି କେଉଁଭଳି ଗଣତନ୍ତ୍ରରେ ବିଶ୍ୱାସ କରେ, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ସେମାନେ କେବଳ ହିଂସା ସୃଷ୍ଟି କରିବା ଜାଣନ୍ତି।ସେ ଆହୁରି କହିଛନ୍ତି, ଅତି ଦୁଃଖର ବିଷୟ ଯେ, ଘଟଣା ଘଟିବାର ଏତେ ସମୟ ପରେ ମଧ୍ୟ ସ୍ଥାନୀୟ ପୋଲିସର ଦେଖା ମିଳି ନଥିଲା। ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି।ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ କିମ୍ବା ନିର୍ବାଚନ ସମୟରେ ହେଉଥିବା ରାଜନୈତିକ ହିଂସା କୌଣସି ନୂଆ କଥା ନୁହେଁ। ସୋନାରପୁରରେ ନିର୍ବାଚନୀ ହିଂସାର ଶିକାର ହୋଇଥିବା କିଛି ପରିବାରକୁ ଆଶ୍ୱାସନା ଦେବା ପାଇଁ ଟିଏମସିର ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ ପୂର୍ବରୁ ଉତ୍ତେଜନା ଲାଗି ରହିଥିବାରୁ, ସ୍ଥାନୀୟ ଲୋକେ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ରାଜନୀତି ତୀବ୍ର ହୋଇଛି । ଟିଏମସି ଏହାକୁ ବିଜେପିର ଗୁଣ୍ଡାରାଜ୍ ବୋଲି କହୁଥିବା ବେଳେ, ବିଜେପି ପକ୍ଷରୁ ଏହାକୁ ସାଧାରଣ ଜନତାଙ୍କ ଅସନ୍ତୋଷର ପ୍ରତିଫଳନ ବୋଲି ଦର୍ଶାଯାଇଛି।