ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ବିରୋଧୀ ଦଳ ଟିଏମସି (ତୃଣମୂଳ କଂଗ୍ରେସ) ର ଜଣେ ବରିଷ୍ଠ ନେତା ତଥା ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରକୁ ରବିବାର ଦିନ ପ୍ରାଣଘାତୀ ଆକ୍ରମଣ ହୋଇଥିବା ନେଇ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ବିଗତ ଦୁଇ ଦିନ ମଧ୍ୟରେ ଟିଏମସିର ଦ୍ୱିତୀୟ ଶୀର୍ଷ ନେତାଙ୍କୁ ଏଭଳି ଟାର୍ଗେଟ୍ କରାଯାଇଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ରିପୋର୍ଟ ଅନୁଯାୟୀ, ସାଂସଦ କଲ୍ୟାଣ ବାନାର୍ଜୀ ହୁଗୁଳି ଜିଲ୍ଲାର ଚଣ୍ଡୀତଲା ଥାନାକୁ ଏକ ପ୍ରତିନିଧି ଦଳ ସହ ଦାବିପତ୍ର ଦେବାକୁ ଯାଉଥିବା ସମୟରେ କେତେକ ବିକ୍ଷୋଭକାରୀ ତାଙ୍କୁ ଚାରିପଟୁ ଘେରି ଯାଇଥିଲେ। ବିକ୍ଷୋଭକାରୀମାନେ ତାଙ୍କ ବିରୁଦ୍ଧରେ କଳା ପତାକା ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ ଏବଂ ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ତାଙ୍କୁ ଶାରୀରିକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ମାତ୍ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଶନିବାର ଦିନ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ତଥା ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରକୁ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୋନାରପୁରଠାରେ ଇଟା, ପଥର ଓ ଅଣ୍ଡା ମାଡ଼ କରାଯାଇଥିଲା।
ଅନ୍ୟପଟେ, ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ରବିବାର ଦିନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘଟଣାସ୍ଥଳର ଭିଡିଓ ଫୁଟେଜ୍ ଆଧାରରେ ରାତିସାରା ଚଢ଼ାଉ କରାଯାଇ ଏହି ଗିରଫଦାରୀ କରାଯାଇଛି ଏବଂ ସେମାନଙ୍କୁ ବାରୁଇପୁର କୋର୍ଟରେ ହାଜର କରାଯିବ। ତେବେ ଟିଏମସି ସୁପ୍ରିମୋ ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏହି ହିଂସା ପାଇଁ ସିଧାସଳଖ ବିଜେପିକୁ ଦାୟୀ କରିଛନ୍ତି। ଅପରପକ୍ଷରେ, ପଶ୍ଚିମବଙ୍ଗ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏଥିରେ ବିଜେପିର କୌଣସି ସଂପୃକ୍ତି ନାହିଁ ଏବଂ ଏହା ବର୍ଷ ବର୍ଷ ଧରି ଟିଏମସି ଦ୍ୱାରା ନିର୍ଯାତିତ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ପରିଣାମ ବୋଲି ଓଲଟା ଅଭିଯୋଗ କରିଛନ୍ତି।
