ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ମଧ୍ୟପ୍ରାଚ୍ୟ ଯୁଦ୍ଧ ଫଳରେ ସାରା ଦେଶରେ ତେଲ ଦର୍ ବଢିବାରେ ଲାଗିଛି । ଏହା ମଧ୍ୟରେ ଏହି ସଙ୍କଟରୁ ଉଦ୍ଧାର ପାଇବା ଓ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୌର ଶକ୍ତି ବ୍ୟବହାର କରିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି। ବୁଧବାର ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି)ର ଓଡ଼ିଶା ଶାଖା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ ଆୟୋଜିତ ‘‘ଫୁଡ୍, ଆଗ୍ରୋ ଆଣ୍ଡ୍ ବାୟୋଟେକ୍ ସମ୍ମିଳନୀ ୨୦୨୬’କୁ ସମ୍ବୋଧିତ କରି ସେ କହିଥିଲେ ଯେ ରୁଫ୍ଟପ୍ ସୋଲାର ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବ୍ସିଡି ଦେଉଛନ୍ତି। ବ୍ୟାଙ୍କଗୁଡ଼ିକ ଫାଇନାନ୍ସ ମଧ୍ୟ ପ୍ରଦାନ କରୁଛନ୍ତି। ଯେକେହି ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରିପାରିବେ।
ସୌର ଶକ୍ତି ଦ୍ବାରା ଲୋକମାନେ ନିଜ ପରିବହନ ଖର୍ଚ୍ଚକୁ ସମ୍ପୂର୍ଣ୍ଣ କମ୍ କରିପାରିବେ ବୋଲି ସେ କହିଛନ୍ତି।ଏଥି ସହିତ ନିଜ ପେଟ୍ରୋଲ ଓ ଡିଜେଲ୍ ଗାଡ଼ିଗୁଡ଼ିକୁ ଇଲେକ୍ଟ୍ରିକ ଯାନ (ଇଭି)ରେ ପରିବର୍ତ୍ତନ କରିବାକୁ ମଧ୍ୟ ସେ ଲୋକମାନଙ୍କୁ ଆହ୍ବାନ ଦେଇଥିଲେ। ସେ କହିଲେ, ପ୍ରତି ସଙ୍କଟକୁ ଭାରତ ସୁଯୋଗରେ ପରିଣତ କରିିଛି। କୋଭିଡ୍ ମହାମାରୀ ଭାରତକୁ ଡିଜିଟାଲ ଇଣ୍ଡିଆରେ ପରିଣତ କରିିଥିଲା। ସେହିପରି ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶ ପାଇଁ ସଙ୍କଟ ନୁହେଁ ସୁଯୋଗ ଆଣିଛି। କେନ୍ଦ୍ର ସରକାର ତେଲ ଆମଦାନି ନିର୍ଭରଶୀଳତା କମ୍ କରିବା ପାଇଁ ଇଥାନଲ ଇନ୍ଧନକୁ ବ୍ୟାପକ କରିବା ଉପରେ କାମ କରୁଛନ୍ତି। ଇ୮୫, ଇ୧୦୦ ତେଲ ଆଣିବା ଯୋଜନା ରହିଛି। ସେହି ତେଲ ଦ୍ବାରା ଚାଷୀମାନେ ସର୍ବାଧିକ ଉପକୃତ ହେବେ ବୋଲି ସେ କହିଛନ୍ତି। ଇଥାନଲ୍ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଚାଷୀମାନେ ହିଁ ଯୋଗାଇବେ ବୋଲି ରାଜ୍ୟପାଳ କହିଥିଲେ।
