ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର। ହୁ ହୁ ହୋଇ ସୁନା ଓ ରୁପା ଦର ବଢି ଚାଲିଥିବାବେଳେ ଲାଗିଲା ବ୍ରେକ। ସୁନା ଓ ରୁପା ମୂଲ୍ୟରେ ବଡ଼ଧରଣର ହ୍ରାସ ପାଇଛି। ଭାରତୀୟ ବଜାରରେ ସୁନା ଦରରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ଆକାଶଛୁଆଁ ହୋଇ ରହିଥିବା ସୁନା ଦାମରେ ଏବେ ଏକ ବଡ଼ ଧରଣର ହ୍ରାସ ଘଟିଛି। ରିପୋର୍ଟ ଅନୁଯାୟୀ, ସୁନା ମୂଲ୍ୟରେ ୪୦୦୦ ଟଙ୍କାରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଛି, ଯାହା ଗ୍ରାହକ ଏବଂ ବିନିଯୋଗକାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

କିଛି ସପ୍ତାହ ପୂର୍ବରୁ ସୁନା ତା’ର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ବିଶ୍ୱସ୍ତରୀୟ ପରିସ୍ଥିତି ଏବଂ ସରକାରୀ ନୀତି ଯୋଗୁଁ ଏହାର ଦାମ କମିବାରେ ଲାଗିଛି। ୧୦ ଗ୍ରାମ ସୁନା ପିଛା ପ୍ରାୟ ୪୩୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବା ଫଳରେ ଗ୍ରାହକମାନେ ଏବେ ଅଳଙ୍କାର ଦୋକାନ ମୁହାଁ ହେଉଛନ୍ତି।

ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୪୩୦୦ ପର୍ଯ୍ୟନ୍ତ ହ୍ରାସ ପାଇଛି। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୧୩୬,୪୫୦ ରୁ ୧୩୭,୧୬୦ ମଧ୍ୟରେ ବିକ୍ରି ହେଉଛି। ବିଶ୍ୱ ସ୍ତରରେ, ସୁନା ବର୍ତ୍ତମାନ ପ୍ରତି ଆଉନ୍ସ ୪,୧୭୫ ପାଖାପାଖି କାରବାର କରୁଛି, ଯାହା ବର୍ଷ ଆରମ୍ଭରେ ପ୍ରତି ଆଉନ୍ସ ୫,୬୦୨ ଠାରୁ ୨୫% ରୁ ଅଧିକ ହ୍ରାସ ପାଇଛି। ବିବାହ ଋତୁ ପାଇଁ ସୁନା କିଣିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଏବେ ସବୁଠାରୁ ଉପଯୁକ୍ତ ସମୟ। ଆଗାମୀ ଦିନରେ ଦର ଆହୁରି କମିବ କି ନାହିଁ, ତାହା ଆନ୍ତର୍ଜାତୀୟ ବଜାରର ସ୍ଥିତି ଉପରେ ନିର୍ଭର କରେ। ସେପଚେ ଆଜି ରୁପା ଦର କେଜି ପ୍ରତି ପ୍ରାୟ ୯୫,୦୦୦ ଟଙ୍କାରୁ ୧,୦୦,୦୦୦ ଟଙ୍କା ମଧ୍ୟରେ କାରବାର ହେଉଛି।