କୋଲକାତା : ଯେମିତି ନିର୍ବାଚନ ସରିଲା, ଆଉ ଫଳାଫଳ ଦେଖି ମୁହଁ ମୋଡ଼ିଲେ ନିଜ ଘର ଲୋକେ। ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ, ତାସ ଘର ପରି ଭାଙ୍ଗି ପଡୁଛି ଟିଏମସି। ନିର୍ବାଚନରେ ଟିଏମସି ମୁଖ୍ୟ ମମତାଙ୍କ ପରାସ୍ତ ଏମାନଙ୍କୁ ଦୁଃଖ କରିବା ପରିବର୍ତ୍ତେ ଯେମିତି ଦଳ ଡିଆଁ କରିବାକୁ ବାଟ କଡ଼ାଇଛି। ବର୍ଷ ବର୍ଷ ଧରି କ୍ଷମତାରେ ରଖି କଣ ବା ଉପଭୋଗ ନ କରିଛନ୍ତି ଏମାନେ। ହେଲେ ଏବେ ଦଳ ହାରୁ ହାରୁ ନିଜକୁ ବଞ୍ଚାଇବା ପାଇଁ ମମତାଙ୍କୁ ଅସହାୟ କରି ଗୋଟି ଗୋଟି କରି ଖସି ଯାଉଛନ୍ତି। ଏବେ ମମତା ବାନାର୍ଜୀଙ୍କ ଘନିଷ୍ଠ ବିଶ୍ୱାସୀ ଏବଂ ଟିଏମସିର ଜଣେ ଫାୟାରବ୍ରାଣ୍ଡ ଚେହେରା ସାୟୋନି ଘୋଷ ମଧ୍ୟ ବିଦ୍ରୋହୀ ଗୋଷ୍ଠୀ ମୁହାଁ ହୋଇଥିବା ଚର୍ଚ୍ଚା ଜୋର ଧରିଛି।  ସୂତ୍ରରୁ ଜଣାପଡିଛି ଯେ ବିଦ୍ରୋହୀ ଗୋଷ୍ଠୀରେ ସାୟୋନି ଘୋଷ ଏବଂ ସୁଦୀପ ବନ୍ଦୋପାଧ୍ୟାୟଙ୍କ ସମେତ ୨୦ ଜଣ ଲୋକସଭା ସାଂସଦ ଅଛନ୍ତି । ଏହା ସହିତ, ଦୁଇ ଜଣ ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ଏବଂ ସୁସ୍ମିତା ଦେବ ମଧ୍ୟ ଇସ୍ତଫା ଦେଇଛନ୍ତି। ସାୟୋନି ଘୋଷ ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ନିର୍ବାଚନମଣ୍ଡଳୀର ଜଣେ ଟିଏମସି ସାଂସଦ। ପଶ୍ଚିମବଙ୍ଗରେ ୧୫ ବର୍ଷର କ୍ଷମତା ହରାଇବା ପରେ, ମମତା ବାନାର୍ଜୀ ବର୍ତ୍ତମାନ ତାଙ୍କର ସବୁଠାରୁ କଷ୍ଟକର ପର୍ଯ୍ୟାୟର ସମ୍ମୁଖୀନ ହେଉଛନ୍ତି। ତାଙ୍କ ସମ୍ମୁଖରେ ତାଙ୍କ ଦଳ ଏବଂ ସଂଗଠନକୁ ବଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଦଳ ଭିତରେ ବିଦ୍ରୋହ ପରେ, ଯେଉଁମାନେ ପୂର୍ବରୁ ତାଙ୍କର ନିକଟତମ ସହଯୋଗୀ ଥିଲେ ସେମାନେ ମଧ୍ୟ ଏବେ ତାଙ୍କୁ ପରିତ୍ୟାଗ କରୁଛନ୍ତି। ବିରୋଧୀ ସ୍ୱର ମମତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଏକାକୀ କରିଦେଇଛି। ପରିସ୍ଥିତି ଦଳର ଅସ୍ତିତ୍ୱ ପାଇଁ ଏକ ସଙ୍କଟ ପାଲଟିଛି। କାକୋଲି ଘୋଷ ଦସ୍ତିଦାର ସୋସିଆଲ ମିଡିଆରେ ପୁଣି ଥରେ କହିଛନ୍ତି ଯେ ୨୦୨୬ ବିଧାନସଭା ଫଳାଫଳ ନୀତି ଏବଂ ଶାସନର ବିଫଳତା ବିରୋଧରେ ଏକ ରାୟ ଥିଲା। ସୂତ୍ର ଅନୁସାରେ, ସାୟୋନି ଘୋଷ ଅନୁମାନ କରୁଛନ୍ତି ଯେ, ତୃଣମୂଳ କଂଗ୍ରେସ ଭିତରେ ତାଙ୍କର ଆଉ ରାଜନୈତିକ ଭବିଷ୍ୟତ ନାହିଁ। ତାଙ୍କ ନିକଟତମ ସୂତ୍ର ଅନୁଯାୟୀ, ନିର୍ବାଚନ ପ୍ରଚାର ସମୟରେ ଯେତେବେଳେ ସେ ଆକ୍ରମଣର ଶିକାର ହୋଇଥିଲେ, ସେତେବେଳେ ଦଳୀୟ ନେତୃତ୍ୱଙ୍କ ସମର୍ଥନର ଅଭାବ ତାଙ୍କର ଏକ ପ୍ରମୁଖ ଅଭିଯୋଗ ଥିଲା ।  ସେ ସମୟରେ ସାୟୋନି ଏକୁଟିଆ ଅନୁଭବ କରିଥିଲେ ଏବଂ ଦାବି କରିଥିଲେ ଯେ ଦଳ ଭିତରେ କେହି ତାଙ୍କ ସହିତ ଛିଡ଼ା ହୋଇ ନଥିଲେ। ଏଭଳି ଟିଏମସିରୁ ଜଣେ ପରେ ଜଣେ ତୁଙ୍ଗ ନେତା ଛାଡି ବିଜେପି ମୁହାଁ ହେଉଛନ୍ତି। ଏଥିରୁ ସ୍ପଷ୍ଟ ଯେ, ପାୱାର ଥିଲେ, ପାଖରେ ସମସ୍ତେ ରହିବେ। ପାୱାର ନାହିଁ, ତ କିଛି ନାହିଁ।