ଭୁବନେଶ୍ୱର: ଓଡ଼ିଶାରେ ଗୁଟଖା ଓ ତମାଖୁ ସେବନ ଏବେ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟର ରୂପ ନେଇଛି। ଏହା ଦ୍ରୁତ ଗତିରେ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି କରି ଲୋକଙ୍କ ଜୀବନକୁ ନଷ୍ଟ କରୁଛି। ଗୁଟଖାରେ ଥିବା ବିଷାକ୍ତ ନିକୋଟିନ ଓ ବିଭିନ୍ନ ରାସାୟନିକ ପଦାର୍ଥ ମୁଖ, ଗଳା ଓ ଫୁସଫୁସ କର୍କଟର ପ୍ରମୁଖ କାରଣ ବୋଲି ଚିହ୍ନଟ ହୋଇଛି।ବିଧାନସଭାରେ ପ୍ରକାଶ ପାଇଥିବା ତଥ୍ୟ ଆଖି ତରାଟି ଦେବା ଭଳି। କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି ଯେ, ଗତ ୧୦ ବର୍ଷରେ କେବଳ ମୁଖ କ୍ୟାନ୍ସରରେ ୩୧୫୭ ଜଣଙ୍କ ମୃତ୍ୟୁ ଘଟିଛି, ଯାହାର ପ୍ରମୁଖ କାରଣ ହେଉଛି ଗୁଟଖା ଓ ତମାଖୁ ଜନିତ ପଦାର୍ଥର ବ୍ୟବହାର।ମନ୍ତ୍ରୀ ଆହୁରି କହିଛନ୍ତି ଯେ, ତମାଖୁ ଉପରେ ନିୟନ୍ତ୍ରଣ ପାଇଁ ‘ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟ ନିୟନ୍ତ୍ରଣ ଅଧିନିୟମ, ୨୦୦୩’ ଲାଗୁ କରାଯାଇଛି। ଏହି ଆଇନ ଅନୁସାରେ ସର୍ବସାଧାରଣ ସ୍ଥାନରେ ଧୂମପାନ ଓ ୧୮ ବର୍ଷରୁ କମ ବୟସ୍କଙ୍କୁ ତମାଖୁ ବିକ୍ରୟ ସହିତ ଶିକ୍ଷାନୁଷ୍ଠାନ ଚାରିପାଖରେ ୧୦୦ ଗଜ ମଧ୍ୟରେ ବିକ୍ରୟକୁ ବାରଣ କରାଯାଇଛି। ଗତ ଦଶକରେ ୬୨,୫୪୨ ଜଣ ଉଲଂଘନକାରୀଙ୍କଠାରୁ ୮,୩୪,୫୨,୫୫୨ ଟଙ୍କା ଜରିମାନା ଆଦାୟ କରାଯାଇଛି।ଏହା ସହିତ ଧୂମହୀନ ତମାଖୁକୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଜାନୁଆରୀ ୨୧ ତାରିଖରେ ରାଜ୍ୟ ସରକାର ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୦୧୩ରୁ ରାଜ୍ୟରେ ତମାଖୁ ଓ ନିକୋଟିନ ଉତ୍ପାଦ ବିକ୍ରୟ ଉପରେ ନିଷେଧ ଲାଗୁ ହୋଇଥିଲେ ମଧ୍ୟ ବ୍ୟବହାର କମିନାହିଁ।ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୪୨ ପ୍ରତିଶତରୁ ଅଧିକ ବୟସ୍କ ଧୂମହୀନ ତମାଖୁ ବ୍ୟବହାର କରୁଛନ୍ତି, ଯାହା ଜାତୀୟ ହାରରୁ ପ୍ରାୟ ଦୁଇଗୁଣା ଅଧିକ। ରାଜ୍ୟରେ ୫୫ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା ତମାଖୁ ସେବନରେ ଲିପ୍ତ ଅଛନ୍ତି। ଗ୍ରାମାଞ୍ଚଳରେ ଏହି ହାର ୪୫ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ୩୬ ପ୍ରତିଶତ।୨୦୧୯ରେ କରାଯାଇଥିବା ଗ୍ଲୋବାଲ ଯୁଥ ଟବାକୋ ସର୍ଭେ ଅନୁଯାୟୀ, ପ୍ରାୟ ୬.୨ ପ୍ରତିଶତ ଛାତ୍ରଛାତ୍ରୀ ମଧ୍ୟ ତମାଖୁ ସେବନରେ ଲିପ୍ତ ଅଛନ୍ତି, ଯାହା ଆଗାମୀ ପିଢ଼ି ପାଇଁ ଗଭୀର ଚିନ୍ତାର ବିଷୟ।ବିଶେଷକରି ଆଦିବାସୀ ବହୁଳ ୧୯ଟି ଜିଲ୍ଲାରେ ଏହି ସମସ୍ୟା ଅଧିକ ଗମ୍ଭୀର ରୂପ ନେଇଛି। ସରକାରୀ ନିୟନ୍ତ୍ରଣ ସତ୍ତ୍ୱେ ତମାଖୁ ବ୍ୟବହାର ଉପରେ ପ୍ରଭାବଶୀଳ ରୋକ ଲାଗୁନି।





