ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରେ ଅନେକ ନେତା ଦଳ ଛାଡ଼ି ଦେଇଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ କଂଗ୍ରେସ ସହିତ ଟିଏମ୍ସି ଓ ଏନ୍ସିପି (ଏସ୍ପି) ପରି ଦଳର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ତେବେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ ଶରଦ ପାୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି-ଏସପି) କ’ଣ କଂଗ୍ରେସକୁ ଫେରିବେ? ତୃଣମୂଳ କଂଗ୍ରେସର ସଙ୍କଟ ମଧ୍ୟରେ କଂଗ୍ରେସରୁ ଅଲଗା ହୋଇଥିବା ଦଳଗୁଡ଼ିକ କଂଗ୍ରେସକୁ ଫେରିବାକୁ ଯୋଜନା କରୁଥିବା ନେଇ ରାଜନୈତିକ ମହଲରେ ଜୋରଦାର କଳ୍ପନାଜଳ୍ପନା ଚାଲିଛି।କଂଗ୍ରେସ ସଂଗଠନ ମହାସଚିବ କେସି ବେଣୁଗୋପାଳ ଗୁରୁବାର ତୃଣମୂଳ କଂଗ୍ରେସର ମିଶ୍ରଣ ଆଲୋଚନାକୁ ଗୁଜବ ବୋଲି କହି ପ୍ରତ୍ୟାଖ୍ୟାନ କରିଦେଇଥିଲେ।
ତେବେ ମହାରାଷ୍ଟ୍ରରେ କଂଗ୍ରେସର ବରିଷ୍ଠ ନେତା ନାନା ପାଟୋଲେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, ଆଗକୁ ଏହି ପଦକ୍ଷେପ ନିଆଯାଇପାରେ। ପାଟୋଲେ କହିଛନ୍ତି ଯେ, ସମାନ ମନୋଭାବ ଥିବା ଦଳଗୁଡ଼ିକ କଂଗ୍ରେସରେ ମିଶ୍ରଣ ପାଇଁ ପ୍ରସ୍ତୁତ ହେଉଛନ୍ତି।ଶରଦ ପାୱାର ଓ ମମତା ବାନାର୍ଜୀ କଂଗ୍ରେସରେ ମିଶ୍ରଣ ପାଇଁ ମାନସିକ ଭାବେ ପ୍ରସ୍ତୁତ ହେଉଥିବା ପାଟୋଲେ ସାମ୍ବାଦିକମାନଙ୍କୁ କହିଛନ୍ତି। ଏହା ଏକ ମେଣ୍ଟ ନୁହେଁ, ବରଂ ଏକ ମିଶ୍ରଣ ହେବ ବୋଲି ସେ କହିଛନ୍ତି। ପଟୋଲେ ଦାବି କରିଛନ୍ତି ଯେ, ଏନସିପି-ଏସପିର ମିଶ୍ରଣ ପାଇଁ ଶରଦ ପାୱାର ପୂର୍ବରୁ ଏକ ପ୍ରସ୍ତାବ ଦେଇସାରିଛନ୍ତି ଓ ଏଥିପାଇଁ ପ୍ରସ୍ତୁତି ଚାଲିଛି। କିଛି ଦିନ ପୂର୍ବେ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ମଧ୍ୟ ସମାନ ମନୋଭାବ ପ୍ରତିଫଳିତ କରିଥିଲେ। ସେ ଶରଦ ପାୱାରଙ୍କୁ କଂଗ୍ରେସରୁ ଅଲଗା ହୋଇ ଅସ୍ତିତ୍ୱରେ ଆସିଥିବା ଛୋଟ ଦଳଗୁଡ଼ିକୁ ପୁଣି ପୁରୁଣା ଦଳ ସହିତ ମିଶ୍ରଣ କରିବାରେ ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ।
ଏହାକୁ ଏକ ଭଲ ପ୍ରସ୍ତାବ ବୋଲି ଏନସିପି-ଏସପି ନେତା ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ କହିଥିଲେ।ଏପରି ରାଜନୈତିକ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛନ୍ତି, ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। ଗେହଲଟ୍ ମଧ୍ୟ ଛୋଟ ଦଳଗୁଡ଼ିକୁ କଂଗ୍ରେସରେ ମିଶିବା ଓ ରାହୁଲ ଗାନ୍ଧୀଙ୍କୁ ସେମାନଙ୍କର ନେତା ଭାବରେ ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ସଞ୍ଜୟ ରାଉତଙ୍କ କଥାକୁ ମଧ୍ୟ ସେ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ଶରଦ ପାୱାର ଓ ମମତା ବାନାର୍ଜୀ ଉଭୟ କଂଗ୍ରେସରୁ ଅଲଗା ହୋଇ ସେମାନଙ୍କ ଦଳ ଗଠନ କରିଥିଲେ। ମମତା ବାନାର୍ଜୀ କଂଗ୍ରେସରୁ ଅଲଗା ହେବା ପରେ ୧୯୯୮ ମସିହାରେ ତୃଣମୂଳ କଂଗ୍ରେସ ଆରମ୍ଭ କରିଥିଲେ। ଶରଦ ପାୱାର ୧୯୯୯ ମସିହାରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠା କରିଥିଲେ।
