ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇରାନ ସହ ଶାନ୍ତି ଚୁକ୍ତି ପରେ ସାରା ବିଶ୍ବରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ଏହା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆପତ୍ତି ପ୍ରକାଶ କରିଛନ୍ତି । ନାଲି ଆଖି ଦେଖାଇ ସେ ଆମେରିକାର ବଡ଼ଭାଇ ପଣିଆ ସାବ୍ୟସ୍ତ କରିବାକୁ ଚାହୁଛନ୍ତି । ସେ କହିଛନ୍ତି, ଇସ୍ରାଏଲ ନିଜ ସୁରକ୍ଷା ପାଇଁ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବ।
ଶାନ୍ତି ଚୁକ୍ତିନାମା ଉପରେ ବର୍ଷି ସେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ ଏବଂ ମୋର ମତ ଏକ ନୁହେଁ। ଇରାନକୁ କୌଣସି ମୂଲ୍ୟରେ ପରମାଣୁ ବୋମା ନିର୍ମାଣ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ।ଆମେରିକା ଏବଂ ଇରାନ ମଧ୍ୟରେ ଗତ କିଛି ମାସ ଧରି ଲାଗି ରହିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଏକ ଐତିହାସିକ ଚୁକ୍ତି ହୋଇଛି। ଶୁକ୍ରବାର ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଏହି ଚୁକ୍ତିନାମା ଆନୁଷ୍ଠାନିକ ଭାବରେ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ନେତାନ୍ୟାହୁଙ୍କ ଆଭିମୁଖ୍ୟ ମଧ୍ୟପ୍ରାଚ୍ୟରେ ଏକ ନୂତନ ବିତର୍କ ସୃଷ୍ଟି କରିବା ସହ ଚୁକ୍ତିରେ ବାଧା ସୃଷ୍ଟି କରୁଥିବା କୁହାଯାଉଛି ।
ଚୁକ୍ତି ନେଇ ନିଜର କ୍ରୋଧ ପ୍ରକାଶ କରି ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ଇସ୍ରାଏଲ ଏହି ଚୁକ୍ତିର ଏକ ଅଂଶ ନୁହେଁ ଏବଂ ନିଜର ସୁରକ୍ଷା ପାଇଁ ସ୍ୱାଧୀନ ପଦକ୍ଷେପ ନେବା ଜାରି ରଖିବ ।ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କ ଏବଂ ଚୁକ୍ତିନାମା ଉପରେ ସେମାନଙ୍କର ମତଭେଦ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ସେ କହିଛନ୍ତି,ଟ୍ରମ୍ପ ଏବଂ ମୁଁ ଅଂଶୀଦାର ଏବଂ ଆମେ ପ୍ରାୟତଃ ଅନେକ ପ୍ରସଙ୍ଗରେ ସହମତ, କିନ୍ତୁ କେତେକ ସମୟରେ ଆମର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ସମାନ ନଥାଏ । ୱାସିଂଟନ ଏବଂ ତେହେରାନ ଦଶନ୍ଧି ଧରି ଚାଲିଥିବା ଶତ୍ରୁତାକୁ ସମାପ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ନେତାନ୍ୟାହୁଙ୍କ ଏହି ବିବୃତି ଆସିଛି।
ସେ ସ୍ପଷ୍ଟ କରିଛନ୍ତି ଯେ, ଇରାନ ଉପରେ ଇସ୍ରାଏଲର ନିଜସ୍ୱ ଦୃଷ୍ଟିକୋଣ ଅଛି, ଯାହା ଆମେରିକାର ସ୍ଥିତିଠାରୁ ଭିନ୍ନ ହୋଇପାରେ ।ନେତାନ୍ୟାହୁ ଦୋହରାଇଛନ୍ତି, ଇସ୍ରାଏଲର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଇରାନକୁ ପରମାଣୁ ଅସ୍ତ୍ର ବିକାଶ କରିବାରୁ ରୋକିବା। କୌଣସି ଚୁକ୍ତି ହେଉ କି ନ ହେଉ ସେ ଦୃଢ଼ ଚେତାବନୀ ଦେଇଛନ୍ତି ଯେ, ଇରାନ କେବେ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ। ଇସ୍ରାଏଲ ନିଜକୁ ବିନାଶରୁ ରକ୍ଷା କରିଛି, କିନ୍ତୁ ଆମର ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବିଫଳ କରିବା ପାଇଁ ଇସ୍ରାଏଲ ଯେକୌଣସି ପଦକ୍ଷେପ ନେବାକୁ ପଛାଇବ ନାହିଁ ।
