ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନସିପିଆଇକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କାହିଁକିନା ତୃଣମୂଳ କଂଗ୍ରେସର ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ବିଲୟ ପରେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ ଚର୍ଚ୍ଚାରେ ଆସିଛି। ରେକର୍ଡ ଅନୁଯାୟୀ, ୩ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୨୩ ମସିହାରେ ପଶ୍ଚିମବଙ୍ଗର ଉତ୍ତିୟ କୁଣ୍ଡୁ ଏବଂ ଶେଉଲି କୁଣ୍ଡୁ ନାମକ ଦମ୍ପତି ଏହି ଦଳର ଭିତ୍ତି ସ୍ଥାପନ କରିଥିଲେ।ଏନସିପିଆଇର ଦସ୍ତାବିଜ ଅନୁସାରେ, ଉତ୍ତିୟ କୁଣ୍ଡୁ ଦଳର ସଭାପତି ଅଟନ୍ତି। ତାଙ୍କ ପତ୍ନୀ ଶେଉଲି କୁଣ୍ଡୁଙ୍କ ନାମ କୋଷାଧ୍ୟକ୍ଷ ଭାବେ ଦର୍ଜା ହୋଇଛି। ଏନସିପିଆଇା ସଭାପତି ଉତ୍ତିୟ ୧୩ ମେ ତାରିଖରେ ଫେସବୁକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନିଜର ଏକ ଫଟୋ ସେୟାର କରି ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇଥିଲେ।

ହାଓଡ଼ାରେ ଏନସିପିଆଇାର ଏକ କାର୍ୟ୍ୟାଳୟ ରହିଛି, ଯେଉଁଠାରେ ସୋମବାର ସୁରକ୍ଷା ବାହିନୀ ମୁତୟନ ହୋଇଥିବା ଦେଖାଯାଇଥିଲା। କାର୍ୟ୍ୟାଳୟର ପ୍ରବେଶଦ୍ୱାରରେ ଉତ୍ତିୟ କୁଣ୍ଡୁ ନିଜକୁ ଜଣେ ବଙ୍ଗଳା ସମ୍ବାଦପତ୍ରର ସମ୍ପାଦକ ଏବଂ ଶିକ୍ଷକ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କ ପତ୍ନୀ ଶେଉଲି କୁଣ୍ଡୁଙ୍କ ନାମ ତଳେ କୋଲକାତା ହାଇକୋର୍ଟର ଆଇନଜୀବୀ ବୋଲି ଲେଖାଯାଇଛି।ଏନସିପିଆଇର ପଞ୍ଜିକୃତ ଠିକଣା ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାର ବାଣୀପୁର ଅଞ୍ଚଳରେ ରହିଛି। ଦଳଟି ୨୦୨୩ ମସିହାରେ ତ୍ରିପୁରା ବିଧାନସଭା ନିର୍ବାଚନରୁ ନିଜର ନିର୍ବାଚନୀ ଯାତ୍ରା ଆରମ୍ଭ କରିଥିଲା ଏବଂ ସେଠାରେ ଚାରିଜଣ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଥିଲା।

କିନ୍ତୁ ଦଳର ପ୍ରାର୍ଥୀମାନେ କେହି ମଧ୍ୟ ଉଲ୍ଲେଖନୀୟ ସଫଳତା ପାଇପାରିନଥିଲେ। ସେମାନଙ୍କ ମଧ୍ୟରୁ କେହି ନୋଟା ଠାରୁ ମଧ୍ୟ କମ୍ ଭୋଟ୍ ପାଇଥିଲେ, ଆଉ କେହି କେବଳ ନୋଟାଠାରୁ ସାମାନ୍ୟ ଅଧିକ ଭୋଟ୍ ହାସଲ କରିଥିଲେ।ସମଗ୍ର ନିର୍ବାଚନରେ ଦଳଟି ମୋଟ ପ୍ରାୟ ୧,୧୯୮ ଭୋଟ୍ ପାଇଥିଲା। ନିର୍ବାଚନ ଆୟୋଗର ରେକର୍ଡ ଅନୁସାରେ, ଦଳକୁ ୧.୧୩ ଲକ୍ଷ ଟଙ୍କାର ଚାନ୍ଦା ମିଳିଥିଲା। ଏନସିପିଆଇର ନିର୍ବାଚନୀ ପୋଷ୍ଟରଗୁଡ଼ିକରେ ଏକ ସ୍ଲୋଗାନ୍ ଲେଖାଯାଇଥିଲା — “ନିଜ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଦଳବଦଳକାରୀଙ୍କୁ ପ୍ରତ୍ୟାଖ୍ୟାନ କରନ୍ତୁ।”ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁସାରେ, ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନରେ ଏନସିପିଆଇ ଚାୱାମାନୁ ଆସନରୁ ବରଜେଡା ତ୍ରିପୁରାଙ୍କୁ ପ୍ରାର୍ଥୀ କରିଥିଲା। ବରଜେଡାଙ୍କୁ ମୋଟ ୫୩୬ଟି ଭୋଟ୍ ମିଳିଥିଲା।

ଟିଏମସିର ବିଦ୍ରୋହୀ ସାଂସଦମାନଙ୍କ ସହ ଏନସିପିଆଇର ବିଲୟ ଖବର ଶୁଣି ସେ ଆଶ୍ଚର୍ୟ୍ୟଚକିତ ହୋଇଯାଇଥିଲେ। ସେ କହିଥିଲେ ଯେ, ସେ ଜଣେ ଦିନମଜୁରିଆ ଶ୍ରମିକ ଏବଂ ନିର୍ବାଚନ ଶେଷ ହେବା ପରେ ଦଳ ସହ ତାଙ୍କର ସମସ୍ତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା।ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ତ୍ରିପୁରାର କୈଳାଶହର ଆସନରୁ ଏନସିପିଆଇ ପ୍ରାର୍ଥୀ ଥିବା ଜାହାଙ୍ଗିର ଅଲି କହିଥିଲେ ଯେ, ୨୦୨୩ ନିର୍ବାଚନ ସମୟରେ ଶେଉଲି କୁଣ୍ଡୁ କୋଲକାତାରୁ ଆସି ପ୍ରାର୍ଥୀମାନଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ନିର୍ବାଚନ ଶେଷ ହେବା ପରେ ଦଳ ତାହାର ସମସ୍ତ କାର୍ୟ୍ୟକଳାପ ବନ୍ଦ କରିଦେଇଥିଲା ଏବଂ ପ୍ରାର୍ଥୀମାନଙ୍କ ସହ ସମ୍ପର୍କ ମଧ୍ୟ ଛିନ୍ନ ହୋଇଯାଇଥିଲା।

ତୃଣମୂଳ କଂଗ୍ରେସର ବିଦ୍ରୋହୀ ସାଂସଦମାନେ କହିଛନ୍ତି ଯେ ସେମାନେ ଏବେ ଏନଡିଏ ସହ ମିଶି କାମ କରିବେ।ଟିଏମସିର ୨୮ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୦ ଜଣ ରବିବାର ତ୍ରିପୁରାର ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ବିଲୟ ହେବାର ଘୋଷଣା କରିଥିଲେ। ଏହାପରେ ବିଦ୍ରୋହୀ ସାଂସଦମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି ସଂସଦରେ ସେମାନଙ୍କ ପାଇଁ ଅଲଗା ବସିବା ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଲୋକସଭା ବାଚସ୍ପତିଙ୍କ ସହ ସାକ୍ଷାତକାର ପରେ ବିଦ୍ରୋହୀ ସାଂସଦ କାକୋଲି ଘୋଷ ଦସ୍ତିଦାର କହିଥିଲେ ଯେ, ଟିଏମସିର ଦୁଇ-ତୃତୀୟାଂଶ ଲୋକସଭା ସାଂସଦ ଏକ ପୃଥକ ଗୋଷ୍ଠୀ ଭାବେ ସ୍ୱୀକୃତି ଦେବା ପାଇଁ ପତ୍ର ଦାଖଲ କରିଛନ୍ତି। ସେ କହିଥିଲେ, “ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସହ କାମ କରିବୁ।”ଓମ୍ ବିର୍ଲାଙ୍କ ସହ ଟିଏମସିର ବିଦ୍ରୋହୀ ସାଂସଦମାନଙ୍କ ବୈଠକର ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ ୧୭ ଜଣ ଟିଏମସି ସାଂସଦ ଦେଖାଯାଇଛନ୍ତି।