ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜଧାନୀ ପୋଲିସ ମହଲରେ ସୋମବାର ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଜଗମୋହନ ମୀନା ରାଜ୍ୟ ହଠାତ ସରକାରଙ୍କ ନିକଟରେ ନିଜର ଇସ୍ତଫା ଦାଖଲ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ବେଳେ, ଏହାକୁ ନେଇ ସରକାର ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି।

୨୦୧୩ ବ୍ୟାଚ୍‌ର ୩୭ ବର୍ଷୀୟ ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ଏହି ହଠାତ୍ ନିଷ୍ପତ୍ତି ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି କରିଛି। ସୂତ୍ର ଅନୁଯାୟୀ, ସେ ବେସରକାରୀ କ୍ଷେତ୍ରରେ ନୂଆ ସୁଯୋଗ ଖୋଜୁଛନ୍ତି। ଏପରିକି ରାଜସ୍ଥାନରେ ତାଙ୍କର ଜଣେ ନିକଟ ସମ୍ପର୍କୀୟଙ୍କ କମ୍ପାନୀରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏନେଇ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ।

ଜଗମୋହନ ମୀନା ପୂର୍ବରୁ ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ। ପରେ କଟକ ଅର୍ବାନ ପୋଲିସ ଜିଲ୍ଲାର ଡିସିପି ଦାୟିତ୍ୱ ତୁଲାଇଥିଲେ। ଚଳିତ ବର୍ଷ ଫେବୃଆରୀ ୨୮ରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ତାଙ୍କର ଇସ୍ତଫା ଏଭଳି ସମୟରେ ଆସିଛି, ଯେତେବେଳେ କମିଶନରେଟ୍ ପୋଲିସ ସମ୍ପ୍ରତି ବାଲିଅନ୍ତାରେ ରେଳବାଇ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଭିଡ଼ ହିଂସା ଶିକାର ହୋଇ ମୃତ୍ୟୁବରଣ କରିବା ଘଟଣାକୁ ନେଇ ସମାଲୋଚନାର ସମ୍ମୁଖୀନ ହୋଇଛି। ଉକ୍ତ ଘଟଣାରେ ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ପୃଷ୍ଠଭୂମିରେ ଡିସିପିଙ୍କ ଇସ୍ତଫାକୁ ନେଇ ବିଭିନ୍ନ ମହଲରେ ନାନା ଆଲୋଚନା ଚାଲିଛି।

ଏପଟେ, ଗଣମାଧ୍ୟମ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଜଗମୋହନ ମୀନା ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ଜଣାପଡ଼ିଛି। ସରକାର ତାଙ୍କ ଇସ୍ତଫା ଗ୍ରହଣ କରିବେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।