ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚଣ୍ଡୀଗଡ଼ ବିଜେପି ପାର୍ଟି ଅଫିସ ବାହାରେ ବିସ୍ଫୋରଣ; ପାର୍କିଂରେ ଥିବା ସ୍କୁଟିରେ ଥିଲା ବୋମା । ତେବେ ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପଞ୍ଜାବ ଭାଜପା ମୁଖ୍ୟାଳୟ ବାହାରେ ଏକ ସ୍କୁଟିରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା କମ ଥିଲେ ମଧ୍ୟ ଏହାର ଶବ୍ଦ ଏତେ ଜୋରରେ ଥିଲା ଯେ ପାର୍କିଂରେ ଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।

ସେପଟେ ଘଟଣା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଗ୍ରେନେଡ ସଦୃଶ ଏକ ବସ୍ତୁକୁ ଭାଜପା କାର୍ଯ୍ୟାଳୟ ଆଡକୁ ଫିଙ୍ଗୁଥିବା ଦେଖାଯାଉଛି। ଆକ୍ରମଣକାରୀ ନିଜେ ଏହି ଘଟଣାର ଭିଡିଓ କରିଥିବା ସନ୍ଦେହ କରାଯାଉଛି। କାର୍ଯ୍ୟାଳୟ ବାହାରେ ଥିବା ଗଛରେ ବାଜି ଗ୍ରେନେଡ୍‌ଟି ପାଚେରୀ ପାଖରେ ପଡ଼ିଯାଇଥିଲା, ଯାହା ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।