ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ) : ପଞ୍ଚାୟତ ଓ ପୌର ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସେତେ ଅଧିକ ତତ୍ପରତା ଦେଖିବାକୁ ମିଳୁଛି। ବିଶେଷ କରି କ୍ଷମତାରୁ ଦୂରେଇ ଯାଇଥିବା ବିଜେଡି ପାଇଁ ଆଗାମୀ ନିର୍ବାଚନ ଏକପ୍ରକାର କର ବା ମର ପରିସ୍ଥିତି ସୃଷ୍ଟି କରିଛି। ପଞ୍ଚାୟତ ଦଖଲ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ନବୀନ ନିବାସରେ ଡାକି ଦେଇଛନ୍ତି ଗୁରୁମନ୍ତ୍ର।
ଆସୁଛି ପଞ୍ଚାୟତ, ପୌର ନିର୍ବାଚନ। ଗଡ଼ ଦଖଲ ପାଇଁ ସଜବାଜ ହେଲେଣି ରାଜନୈତିକ ଦଳ। ଗତ ସାଧାରଣ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରେ ବିଜେଡି ପାଇଁ ଏବେ ବଡ଼ ପରୀକ୍ଷା ସମୟ। ଦଳ ଛାଡ଼ିବା ପ୍ରକ୍ରିୟା ସାଙ୍ଗକୁ ତୃଣମୂଳ ସ୍ତରରେ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବି ବିଜେଡିର ସ୍ଥିତି ସେତେ ଭଲ ନାହିଁ। ଗତ ନିର୍ବାଚନରେ ସ୍ୱଳ୍ପ ଭୋଟ୍‌ ବ୍ୟବଧାନରେ ବିଜୟୀ ନବୀନ ବି ନିର୍ବାଚନ ପରଠାରୁ ନିଜ ନିର୍ବାଚନ ମଣ୍ଡଳୀ ମାଟି ମାଡ଼ିନାହାନ୍ତି। ଯାହା କର୍ମୀ ଓ ନେତାଙ୍କ ମନୋବଳ ଦୁର୍ବଳ କରିବା ସହ ଦଳୀୟ ବିଶୃଙ୍ଖଳା ବଢ଼ିଛି। ଏସବୁର ମୁକାବିଲା ପାଇଁ ଶେରଗଡ଼ ଏବଂ ହିଞ୍ଜିଳିରୁ ବିଜେଡି ନେତା ଓ କର୍ମୀ ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ଭେଟିଛନ୍ତି। ନିରୁତ୍ସାହିତ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ। କଥା ଦେଇଛନ୍ତି ନିର୍ବାଚନ ପୂର୍ବରୁ ଏବେ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ ଲୋକଙ୍କ ପାଖେ ଛିଡ଼ା ହେବେ। ନବୀନଙ୍କ ଏହି ବାର୍ତ୍ତା ପରେ ନେତା ଏବଂ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। ସେମାନେ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।