ଖଣି ଅଧିକାରୀଙ୍କୁ ବେଖାତିର, ମାଫିଆଙ୍କୁ ସୁରକ୍ଷା! ଏଚ୍. କଟାପାଲି ବେଆଇନ ମାଟି ଖନନ ଘଟଣାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଖୋଲିଲା ପୋଲିସର ଆଖି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖଣି ଅଧିକାରୀଙ୍କୁ ବେଖାତିର । ୧୪ ମାସ ଧରି ପଡ଼ି ରହିଲା ଖଣି ଅଧିକାରୀଙ୍କ ଚିଠି, ତଦନ୍ତ ନିର୍ଦ୍ଦେଶ । ଝାରସୁଗୁଡ଼ା ସଦର ପୋଲିସର କଳା କାରନାମା । FIR ପାଇଁ ଲାଗିଲା ବର୍ଷେ ଦୁଇ ମାସ, ଏବେ DGPଙ୍କ ସ୍କାନରରେ IIC । ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି କୁ ଗ୍ରାମବାସୀଙ୍କ ଗୁହାରି ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍. କାଟାପାଲି ଅଞ୍ଚଳରେ ବ୍ୟାପକ ମାଟି ଚୋରା ଚାଲାଣ ଓ ଏଥିରେ ପୋଲିସର ସମ୍ପୃକ୍ତି ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଖୋଦ୍ ଜିଲ୍ଲା ଖଣି ଅଧିକାରୀ ଏଫ୍‌ଆଇଆର୍ (FIR) ଦେବା ପାଇଁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସଦର ଥାନା ଅଧିକାରୀ (IIC) ଦୀର୍ଘ ୧୪ ମାସ ଧରି କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO), ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ (DGP) ହସ୍ତକ୍ଷେପ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଅଭିଯୋଗ ଅନୁଯାୟୀ, ୨୦୨୪ ନଭେମ୍ବର ମାସରେ ଏଚ୍. କଟାପାଲି ଗ୍ରାମର ଡିଏଏ ଖେଳପଡ଼ିଆ ନିକଟରୁ ବେଆଇନ ଭାବେ ବହୁ ପରିମାଣର ମାଟି ଖୋଳାଯାଇ ଚୋରା ଚାଲାଣ କରାଯାଇଥିଲା। ଏ ସମ୍ପର୍କରେ ୨୭.୧୧.୨୦୨୪ରିଖରେ ଝାରସୁଗୁଡ଼ା ଖଣି ଅଧିକାରୀ ସଦର ଥାନା ଆଇଆଇସିଙ୍କୁ ଚିଠି ଲେଖି ମାମଲା ରୁଜୁ କରିବାକୁ ଅନୁରୋଧ କରିଥିଲେ। ମାତ୍ର ଆଇଆଇସି ଏହାକୁ ବେଖାତିର କରି ୧୪ ମାସ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରି ନଥିଲେ।

ଶେଷରେ ୨୦୨୬ ଜାନୁଆରୀ ମାସରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଏଫ୍‌ଆଇଆର୍ ରୁଜୁ ହୋଇଥିଲା।ପୋଲିସର ନିଷ୍କ୍ରିୟତା ଯୋଗୁଁ ମାଟି ମାଫିଆମାନେ ନିର୍ଭୟରେ ମାଟି ଖୋଳିବା ସହ ସେହି ଗାତଗୁଡ଼ିକରେ ଶିଳ୍ପ ସଂସ୍ଥାର ଫ୍ଲାଇ-ଆସ୍ (Fly Ash) ଭର୍ତ୍ତି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ଅଞ୍ଚଳରେ ବାୟୁ ଓ ଭୂତଳ ଜଳ ପ୍ରଦୂଷିତ ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ଯେଉଁ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି, ସେମାନଙ୍କୁ ମାଫିଆମାନେ ଧମକ ଚମକ ଦେଉଥିବା ମଧ୍ୟ କୁହାଯାଇଛି।

ଏହି ଘଟଣାକୁ ନେଇ ଏଚ୍. କଟାପାଲି ଗ୍ରାମବାସୀମାନେ ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ନିକଟରେ ଫେରାଦ ହୋଇଛନ୍ତି।ଆକ୍ସନ ମୋଡ୍‌ରେ ପ୍ରଶାସନ• ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO): ୩୦ ମାର୍ଚ୍ଚ ୨୦୨୬ରେ ଏହି ଅଭିଯୋଗ ଝାରସୁଗୁଡ଼ା ଏସପିଙ୍କ ନିକଟକୁ ପଠାଯାଇଛି। • ଡିଜିପି କାର୍ଯ୍ୟାଳୟ: ପୋଲିସ ମୁଖ୍ୟାଳୟ ପକ୍ଷରୁ ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରହିଛି। • ମୁଖ୍ୟ ଶାସନ ସଚିବ: ଗୃହ ସଚିବଙ୍କ ଜରିଆରେ ୨୫ ମାର୍ଚ୍ଚ ୨୦୨୬ ସୁଦ୍ଧା ଏହି ମାମଲା ଡିଜିପିଙ୍କ ନିକଟରେ ପହଞ୍ଚିଛି।

ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ ବିଭାଗୀୟ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ପ୍ରାର୍ଥନା କରିଛନ୍ତି। ପୋଲିସ ଓ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ବିଳମ୍ବ ହୋଇଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Related Posts