ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆର୍ଥିକ ବର୍ଷ ୨୫-୨୬ ରେ ଭାରତର ପ୍ରତିରକ୍ଷା ରପ୍ତାନି ରେକର୍ଡ ₹୩୮,୪୨୪ କୋଟି ଛୁଇଁଲା । ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହା ସହ କହିଛନ୍ତି ଯେ, ଗତ ଆର୍ଥିକ ବର୍ଷ ତୁଳନାରେ ଏଥିରେ ପ୍ରାୟ ୬୨.୬୬ ପ୍ରତିଶତର ଏକ ବିରାଟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି, ଯାହା ଭାରତର ସ୍ୱଦେଶୀ ଜ୍ଞାନକୌଶଳ ଉପରେ ବିଶ୍ୱର ବଢୁଥିବା ଭରସାକୁ ପ୍ରମାଣିତ କରୁଛି। ଏହି ଅଭୂତପୂର୍ବ ସଫଳତା ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ଏକ ନୂତନ ଶକ୍ତି ପ୍ରଦାନ କରିବା ସହ ଭାରତକୁ ଏକ ପ୍ରତିରକ୍ଷା ରପ୍ତାନିକାରୀ ରାଷ୍ଟ୍ର ଭାବେ ବିଶ୍ୱ ଦରବାରରେ ସ୍ଥାପିତ କରିଛି।
ଏହି ସଫଳତା ସମ୍ପର୍କରେ ଅଧିକ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ମାତ୍ର ବର୍ଷକ ମଧ୍ୟରେ ରପ୍ତାନିରେ ୧୪,୮୦୨ କୋଟି ଟଙ୍କାର ବୃଦ୍ଧି ଘଟିଛି। ଏହି ସଫଳତାରେ ଉଭୟ ସରକାରୀ ଓ ଘରୋଇ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମୁଦାୟ ରପ୍ତାନିରେ ସରକାରୀ ପ୍ରତିରକ୍ଷା ଉଦ୍ୟୋଗଗୁଡ଼ିକର ଅବଦାନ ୫୪.୮୪ ପ୍ରତିଶତ ରହିଥିବା ବେଳେ ଘରୋଇ ଶିଳ୍ପଗୁଡ଼ିକ ୪୫.୧୬ ପ୍ରତିଶତ ଅଂଶ ଗ୍ରହଣ କରିଛନ୍ତି। ଏହି ପରିସଂଖ୍ୟାନ ଦର୍ଶାଉଛି ଯେ ଭାରତର ”ଆତ୍ମନିର୍ଭର ଭାରତ” ଅଭିଯାନ ସଫଳତାର ସହ ଆଗକୁ ବଢୁଛି।





