ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ନ୍ୟାୟିକ ଅଧିକାରୀମାନଙ୍କୁ ୯ ଘଣ୍ଟା ଧରି ବନ୍ଦୀ କରି ରଖାଯିବା ଘଟଣାରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଏହି ଘଟଣା ପରେ ମମତା ସମସ୍ତ ଦୋଷ ବିଜେପି ଉପରେ ଲଦିଛନ୍ତି। ସାଗରଡିଗିଠାରେ ଏକ ଜନସଭାକୁ ସମ୍ବୋଧିତ କରି ମମତା ନିଜକୁ ଏହି ଘଟଣାରୁ ଦୂରେଇ ରଖିବା ସହିତ ରାଜ୍ୟରେ ଚାଲିଥିବା ଏସ୍ଆଇଆର୍କୁ ନେଇ ଲୋକଙ୍କ ଭିତରେ ଥିବା ରୋଷର ଏହା ପ୍ରତିଫଳନ ବୋଲି କହିଛନ୍ତି। ମମତା କହିଛନ୍ତି, ମୋ ପାଖରେ କୌଣସି କ୍ଷମତା ନାହିଁ। ସେମାନେ ମୋ’ଠାରୁ ସବୁ କ୍ଷମତା ନେଇଯାଇଛନ୍ତି। ମାଲଦାରେ ଯାହା ଘଟିଗଲା ତାହା ବିଜେପିର କ୍ଷଡ଼ଯନ୍ତ୍ର। ପରାଜୟ ଭୟରେ ବିଜେପି ଚଳିତ ମାସ ହେବାକୁ ଥିବା ବିଧାନସଭା ନିର୍ବାଚନ ରଦ୍ଦ କରି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଁଛି ବୋଲି କହିଛନ୍ତି । ସେପଟେ ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କରି ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ, ସେମାନେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ଚାହୁଥିଲେ, କିନ୍ତୁ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଦେଇପାରି ନାହାନ୍ତି।
ସୂଚନାଯୋଗ୍ୟ, ଏସ୍ଆଇଆର୍ ସମୟରେ ଭୋଟର ତାଲିକାରୁ ନାମ ବାଦ ଦିଆଯିବାକୁ ନେଇ ବୁଧବାର ମାଲଦାର କାଲିଆଛକ ୨ ବ୍ଲକ ଉନ୍ନୟନ କାର୍ୟ୍ୟାଳୟ ବାହାରେ ବିରାଟ ପ୍ରତିବାଦ ହୋଇଥିଲା। ପ୍ରତିବାଦକାରୀ ଏହି ମାମଲାର ସମୀକ୍ଷା କରୁଥିବା ନ୍ୟାୟିକ ଅଧିକାରୀଙ୍କୁ ଭେଟିବାକୁ ଚାହିଁଥିଲେ। କିନ୍ତୁ ସେମାନଙ୍କ ଅନୁରୋଧ ଗ୍ରହଣ କରା ନଯିବାରୁ ଅପରାହ୍ଣ ୪ଟାରେ ଲୋକମାନେ ବିଡିଓ କାର୍ୟ୍ୟାଳୟ ଘେରାଓ କରି ୩ ମହିଳା ଅଧିକାରୀଙ୍କ ସମେତ ୭ ଜଣ ନ୍ୟାୟିକ ଅଧିକାରୀଙ୍କୁ ବନ୍ଦୀ କରି ରଖିଥିଲେ। ୯ ଘଣ୍ଟା ପରେ ରାତି ଗୋଟାଏରେ ନ୍ୟାୟିକ ଅଧିକାରୀଙ୍କୁ ଉଦ୍ଧାର କରାଯାଇଥିଲା।
ଅନ୍ୟପଟେ ଉଦ୍ଧାରକାର୍ୟ୍ୟବେଳେ ପ୍ରତିବାଦକାରୀ ପୁଲିସ ଭ୍ୟାନ୍ ଉପରେ ପଥର ଫିଙ୍ଗିଥିଲେ। ଗୁରୁବାର ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ମାଲଦା ଘଟଣା ସୁପ୍ରିମକୋର୍ଟଙ୍କ କ୍ଷମତାକୁ ଚାଲେଞ୍ଜ କରିବା ପରି ହୋଇଥିବା ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ୟ୍ୟକାନ୍ତ ନେତୃତ୍ବାଧୀନ ଖଣ୍ଡପୀଠ କହିଥିଲେ। ପଶ୍ଚିମବଙ୍ଗକୁ ସବୁଠୁ ଧ୍ରୁବୀୟ ରାଜ୍ୟ ଓ ଏହି ଘଟଣା ଯୋଜନାବଦ୍ଧ ଥିଲା ବୋଲି ସୁପ୍ରିମକୋର୍ଟ କହିଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସିବିଆଇ କିମ୍ବା ଏନ୍ଆଇଏକୁ ଦାୟିତ୍ବ ଦେବାକୁ ନିର୍ବାଚନ ଆୟୋଗଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିବାର ଦେଖିବାକୁ ମିଳିଛି ।





