ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା । ଏଥିରେ ୬ ବିଭାଗର ୧୦ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ୨ଟି, ଶକ୍ତି ବିଭାଗର ୨ଟି, ଜଳ ସଂପଦ ବିଭାଗର ୨ଟି, ମହିଳା ଓ ଶିଶୁ ବିକାଶ ବିଭାଗର ୨ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଗୋଟିଏ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଗୋଟିଏ ପ୍ରସ୍ତାବ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ ନେଇ ସୂଚନା ଦେଇଛନ୍ତି।
ଏଣିକି ପେପରଲେସ ହେବ ଅଫିସ କାର୍ଯ୍ୟ। ସବୁ ଜିଲ୍ଲା ଓ ବ୍ଲକ ଅଫିସରେ ପେପରଲେସରେ କାର୍ଯ୍ୟ ହେବ। ସରକାରୀ କାର୍ଯ୍ୟକୁ ଅଧିକ ଡିଜିଟାଲ କରିବା ଲକ୍ଷ୍ୟରେ ଓଡ଼ିଶା ସେକ୍ରେଟାରୀଏଟ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ (OSWAS)-3.0 କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏହା ମାଧ୍ୟମରେ ସରକାରୀ କାର୍ଯ୍ୟାଳୟରେ ଡିଜିଟାଲ୍ ଫାଇଲ୍ ପରିଚାଳନା, ଅନଲାଇନ୍ ଅନୁମୋଦନ ଏବଂ ଶୀଘ୍ର ସେବା ପ୍ରଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।
ସେମିକଣ୍ଟକ୍ଟର କ୍ଷେତ୍ରରେ ଓଡିଶାର ସ୍ଥିତିକୁ ଆହୁରି ସୁଦୃଢ କରିବା ଦିଗରେ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଏବଂ ଫାବଲେସ ପଲିସିର ତୃତୀୟ ସଂଶୋଧନକୁ ଅନୁମୋଦନ କରାଯାଇଛି। ଏହା ଅଧୀନରେ ସେମିକଣ୍ଡକ୍ଟର ଉପକରଣ ନିର୍ମାଣ ଓ ଗବେଷଣା ଏବଂ ବିକାଶ, ସେମିକଣ୍ଡକ୍ଟର-ଗ୍ରେସ ଗ୍ରେଡ ରାସାୟନିକ ପଦାର୍ଥ, ଉନ୍ନତ ସାମଗ୍ରୀ ଉତ୍ପାଦନ, ସେମିକଣ୍ଡକ୍ଟର ସପ୍ଲାଇ ଚେନର ବିଭିନ୍ନ ଉପାଦନା ଏଂ ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ ବ୍ୟବସ୍ଥା କରାଯାଇଛି।
ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ (ପିଏସପି)ର ବିକାଶକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ପକ୍ଷରୁ ଓଡିଶା ପମ୍ପଡ୍ ଷ୍ଟୋରେଜ ପ୍ରୋଜେକ୍ଟ ( ପିଏସପି) ନୀତି ଏବଂ ପରିଚାଳନା ନିର୍ଦେଶାବଳୀରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ୨୦୩୦ ମସିହା ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ଜଳ ସମ୍ପଦ ବିଭାଗର ଦୁଇଟି ବଡ଼ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ପାର୍ବତୀଗିରି ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପର ଫେଜ୍-୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପରେ ୫ ବର୍ଷରେ ପ୍ରାୟ ୧୨ ହଜାର ୪୫୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ୱାରା ୨.୬୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ଏବଂ ପ୍ରାୟ ୭ ଲକ୍ଷ ଚାଷୀ ଉପକୃତ ହେବେ। ଜଳାଶୟ ଓ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ଉନ୍ନତିକରଣ ପର୍ଯ୍ୟାୟ-୩ ଯୋଜନାକୁ ଅନୁମୋଦନ କରାଯାଇଛି। ୪ ବର୍ଷ ପାଇଁ ୩୮୯ କୋଟି ମଞ୍ଜୁର ହୋଇଛି । ଏହା ମାଧ୍ୟମରେ ୧୫ ହଜାର ୭୦୦ ହେକ୍ଟର ଜଳସେଚନ କ୍ଷେତ୍ର ପୁନରୁଦ୍ଧାର କରାଯିବ।
ଅନ୍ୟପଟେ ଅସହାୟ ଶିଶୁଙ୍କ ପାଇଁ ‘ଯଶୋଦା’ ଓ ‘ଆଶୀର୍ବାଦ’ ଯୋଜନା ଜାରି ରହିବ । ଏହି ୨ ଯୋଜନା ପାଇଁ କ୍ୟାବିନେଟରେ ୨୯୬.୯୯ କୋଟି ଅନୁମୋଦିତ ହୋଇଛି । ଆଗାମୀ ୫ ବର୍ଷ ପାଇଁ ଏହି ୨ ଯୋଜନା ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ପ୍ରାକ୍-ବିଦ୍ୟାଳୟ ଶିଶୁଙ୍କ ପାଇଁ ‘ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା’କୁ ଆଉ ୫ ବର୍ଷ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ୩ ରୁ ୬ ବର୍ଷ ବୟସର ୧୪.୭୬ ଲକ୍ଷ ଶିଶୁଙ୍କୁ ୟୁନିଫର୍ମ, ଜୋତା, ମୋଜା ଏବଂ ବ୍ୟାଗ୍ ଯୋଗାଇବା ପାଇଁ ୫୮୬.୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
