ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିକଟରେ ସଂସଦରେ ବିନା ବିତର୍କରେ ପାରିତ ହୋଇଥିବା ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ (MMDR) ସଂଶୋଧନ ବିଲ୍-୨୦୨୬ କୁ ନେଇ ଏବେ ଓଡ଼ିଶା ରାଜନୀତି ସରଗରମ ହୋଇଉଠିଛି। ଏହି ବିଲ୍ ଲାଗୁ ହେଲେ ରାଜ୍ୟର ନିଜସ୍ୱ ସ୍ୱାର୍ଥ କ୍ଷୁଣ୍ଣ ହେବା ସହ ବିପୁଳ ରାଜସ୍ୱ ହାନି ହେବାର ଆଶଙ୍କା ପ୍ରକାଶ କରି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି। ନିଜର ଏହି ପତ୍ରରେ ନବୀନ ସଂଶୋଧିତ ବିଲ୍କୁ ତୀବ୍ର ସମାଲୋଚନା କରିବା ସହ ରାଜ୍ୟ ସରକାରଙ୍କୁ ଏହା ବିରୋଧରେ ଠିଆ ହେବାକୁ ଦୃଢ଼ ଆହ୍ୱାନ ଦେଇଛନ୍ତି।
ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ ଏହି ନୂଆ MMDR ସଂଶୋଧନ ବିଲ୍ ଓଡ଼ିଶାର ନିଜସ୍ୱ ପ୍ରାକୃତିକ ସମ୍ପଦ ଉପରେ ଥିବା ସାମ୍ବିଧାନିକ ଅଧିକାରର ସିଧାସଳଖ ବିରୋଧ କରୁଛି। ଓଡ଼ିଶାର ଅର୍ଥନୀତି ଓ ବିକାଶମୂଳକ କାର୍ଯ୍ୟ ମୁଖ୍ୟତଃ ଖଣି ରାଜସ୍ୱ ଉପରେ ନିର୍ଭରଶୀଳ ଥିବାବେଳେ, ନୂତନ ନିୟମ ଦ୍ୱାରା ଖଣି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଅହେତୁକ ଭାବେ ବୃଦ୍ଧି ପାଇବ। ଫଳରେ ଓଡ଼ିଶା ଭଳି ଏକ ଖଣିଜ ସମ୍ପଦ ଭରା ପ୍ରମୁଖ ରାଜ୍ୟର ଘୋର ଆର୍ଥିକ କ୍ଷତି ଘଟିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସଂସଦରେ ଏହି ବିଲ୍ ଆସିବା ସମୟରେ ବିଜୁ ଜନତା ଦଳ (ବିଜେଡି) ର ସାଂସଦମାନେ ଏହାର ଦୁଷ୍ପରିଣାମକୁ ନେଇ କଡ଼ା ବିରୋଧ କରିଥିଲେ ବୋଲି ମଧ୍ୟ ସେ ସ୍ମରଣ କରାଇ ଦେଇଛନ୍ତି।
ଓଡ଼ିଶାର ବିପୁଳ ସ୍ୱାର୍ଥ ଓ ହକ୍ ରକ୍ଷା ପାଇଁ ଏକଜୁଟ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ନବୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେତେକ ଦାବି ଉପସ୍ଥାପନ କରିଛନ୍ତି। ସେ ଦାବି କରିଛନ୍ତି ଯେ, ରାଜ୍ୟ ସରକାର ତୁରନ୍ତ ଏକ ସର୍ବଦଳୀୟ ବୈଠକ ଆହ୍ୱାନ କରନ୍ତୁ ଏବଂ ସମସ୍ତ ରାଜନୈତିକ ଦଳର ମତାମତ ଗ୍ରହଣ କରନ୍ତୁ। କେବଳ ସେତିକି ନୁହେଁ, ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ଏହି ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଉ ଏବଂ ରାଜ୍ୟର ରାଜସ୍ୱ ପାଇଁ ଘାତକ ସାଜିଥିବା ଏହି ବିଲ୍କୁ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ ବିରୋଧ କରାଯାଉ।
ଶେଷରେ ନବୀନ ଆହ୍ୱାନ ଦେଇଛନ୍ତି ଯେ, ରାଜ୍ୟର ପ୍ରାକୃତିକ ସମ୍ପଦ ଉପରେ ପ୍ରଥମ ଅଧିକାର କେବଳ ଓଡ଼ିଶାବାସୀଙ୍କର। ତେଣୁ ଦଳମତ ନିର୍ବିଶେଷରେ ସମସ୍ତେ ସର୍ବସମ୍ମତି କ୍ରମେ ଏକାଠି ହୋଇ ରାଜ୍ୟର ହକ୍ ପାଇଁ ସ୍ୱର ଉତ୍ତୋଳନ କରିବା ନିହାତି ଉଚିତ୍। ଏବେ ଦେଖିବାକୁ ବାକି ରହିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ସ୍ୱାର୍ଥ ରକ୍ଷା ଦିଗରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି।
