ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବୁଲେଟରେ ବସି ଆଜି ବନ୍ୟାଞ୍ଚଳ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନରେ ଯାଇ ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଭଦ୍ରକ ତିହିଡ଼ିର ଈଶ୍ବରପୁରରେ ବନ୍ୟା ଜଳ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଗାଡି ଯାଇ ନପାରିବାରୁ ମନ୍ତ୍ରୀ ସୂରଜଙ୍କ ସହ ବାଇକରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିବା ସହ ଲୋକଙ୍କ ଦୁର୍ଦ୍ଦଶା ବୁଝିଥିଲେ।

ପ୍ରଥମେ ବୋଟରେ ମୁଖ୍ୟମନ୍ତ୍ରୀ ଈଶ୍ବରପୁର ଯାଇଥିଲେ। ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ବୁଲେଟରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଞ୍ଚଳକୁ ବୁଲି ଦେଖିଇଥିଲେ। ଏହାପରେ ସୋସିଆଲ୍ ମିଡ଼ିଆ Xରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରଭାବିତ ଜନସାଧାରଣଙ୍କ ନିକଟରେ ତୁରନ୍ତ ରିଲିଫ, ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଚିକିତ୍ସା ସେବା ଏବଂ ଗୋ-ଖାଦ୍ୟ ପହଞ୍ଚାଯାଉଛି। ବିପନ୍ନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ବନ୍ୟା ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ଓ ତ୍ୱରିତ ସହାୟତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।