ଭୁବନେଶ୍ୱର, (ସତ୍ୟପାଠ ବ୍ୟୁରୋ): ପିଛା ଛାଡ଼ୁନି ଲଘୁଚାପ। ଗୋଟିଏ ପରେ ଗୋଟିଏ ଲଘୁଚାପ ସକ୍ରୀୟ ହେଉଥିବାବେଳେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ନଈକୂଳିଆ ଜିଲ୍ଲାଗୁଡ଼ିକରେ ବନ୍ୟାସ୍ଥିତି ଉପୁଜିଛି। ରାଜ୍ୟରେ ବନ୍ୟା ସ୍ଥିତି କ୍ଷୟକ୍ଷତିକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ଏସ୍ଆରସି ଉପସ୍ଥିତ ଥିଲେ। ତେବେ ବୈଠକ ପରେ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍‌ କରି ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାରି ଅନ୍ତର୍ଗତ ୩୩% କିମ୍ବା ଊର୍ଦ୍ଧ୍ୱ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦, ଜଳସେଚିତ ଜମି ପାଇଁ ୧୭୦୦୦ ଏବଂ ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ମିଳିବ ମିଳିବ। ଏହା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବାକୁ ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା ପନିପରିବା ମିନି କିଟ୍‌ ଦିଆଯିବ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲଗାତାର ବନ୍ୟା କିଛି ଜିଲ୍ଲାରେ କ୍ଷତି ଘଟାଇଛି। ଯାଜପୁରର ୧୦ ବ୍ଲକର ୨୭୦ ଗାଁରେ ୨ ଲକ୍ଷ ୮୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଜିଲାରେ ୨୦୩ଟି ରିଲିଫ ସେଣ୍ଟର ଖୋଲାଯାଇଛି। ସେହିପରି ଭଦ୍ରକ ଜିଲ୍ଲାର ୪ ବ୍ଲକର ୧୪୯ ଗାଁ ବନ୍ୟା ପ୍ରଭାବିତ ହୋଇଛି ଓ ୨ ଲକ୍ଷ ୫୯ ହଜାର ପ୍ରଭାବିତ ହୋଇଛନ୍ତି। ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ବି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମୋଟ ଭାବେ ୬ ଜିଲ୍ଲାର ୭୪ ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ୬ ଜିଲ୍ଲାରେ ୪୫ ଓଡ୍ରାଫ ଓ ୮ ଏନଡିଆରଏଫ ଟିମ ମୁତୟନ ଅଛନ୍ତି। ଆମର ଗୋଟିଏ ଟାର୍ଗେଟ ଜିରୋ କାଜୁଆଲିଟି, ସେ ଦିଗରେ କାମ କରୁଛୁ। ଶହେରୁ ଉର୍ଦ୍ଧ୍ବ ଲୋକଙ୍କୁ ସାପ କାମୁଡ଼ିଛି, କିନ୍ତୁ ଆମର ପ୍ରସ୍ତୁତି ପାଇଁ କାହାର ମୃତ୍ୟୁ ହୋଇନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୭ ଜିଲ୍ଲା (ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା) ପ୍ରଭାବିତ ହୋଇଛି। ଏ ସବୁ ଜିଲ୍ଲାରେ ସତର୍କ ସୂଚନା ସହ ପ୍ରାଣୀଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।  ୮୮ ବ୍ଳକ, ପ୍ରାୟ ସାଢ଼େ ୪ ଲକ୍ଷ ଗୃହପାଳିତ ପଶୁ , ୮୩ ହଜାର ୨୬୫ ଚାଷୀ, ପ୍ରଭାବିତ ହୋଇଛନ୍ତି। ୩୬ ଟି ରାପିଡ ରେସପନ୍ସ ଟିମ୍ ମୂତୟନ ହୋଇଛି। ସେହିପରି ୫୦ ଅନିମଲ ହେଲଥ କ୍ୟାମ୍ପ କରାଯାଇଛି। ସରକାରଙ୍କ ପକ୍ଷରୁ ବନ୍ୟା ପୀଡିତ ପାଇଁ ସହାୟତା ଦିଆଯାଉଛି। ମୁଖ୍ୟମନ୍ତ୍ରୀ ନିଜେ ପାଣି ଭିତରକୁ ଯାଇ ପୀଡିତଙ୍କ ସହ ଆଲୋଚନା କରିଛନ୍ତି। କ୍ଷତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗ୍ରାଉଣ୍ଡରେ ତଦାରଖ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ଲାଗି ରହିଛି ପ୍ରବଳ ବର୍ଷା। ଉତ୍ତର ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ଆଗାମୀ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। କିଛି ଜିଲ୍ଲାକୁ ଅରେଞ୍ଜ ଓ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ରାଜ୍ୟର ୩ଟି ସ୍ଥାନରେ ଅତିଭାରୀ ବର୍ଷା ହୋଇଥିବା ବେଳେ ୨୨ଟି ସ୍ଥାନରେ ଭାରୀ ବର୍ଷା ରେକର୍ଡ ହୋଇଛି। ସେହିପରି ଆସନ୍ତାକାଲି ୩ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାରି ମଧ୍ୟରେ ଜଣାପଡିଛି ଯେ, ଆଉ ଏକ ଲଘୁଚାପ ଆସୁଛି। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୨୧ ତାରିଖଠାରୁ ପୁଣି ଥରେ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ।