ଓ୍ବାଶିଂଟନ(ସତ୍ୟପାଠବ୍ୟୁରୋ): ମଧ୍ୟପ୍ରାଚ୍ୟରେ ସୁଧୁରୁନି ସ୍ଥିତି । ଇରାନ ସହ ଓମାନର ହର୍ମୁଜ୍‌ ଷ୍ଟ୍ରେଟ୍‌କୁ ନେଇ ପ୍ରସ୍ତାବିତ ବୁଝାମଣାକୁ ନେଇ ଆମେରିକା ଓ ଓମାନ ମଧ୍ୟରେ ମତଭେଦ ତୀବ୍ର ହୋଇଛି । ରିପୋର୍ଟ ଅନୁସାରେ, ଓମାନ ଯଦି ଆମେରିକାର ଇରାନ ନୀତିରେ ବାଧା ସୃଷ୍ଟି କରେ, ତେବେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୁଖ୍ୟ ବିବାଦର କେନ୍ଦ୍ରରେ ରହିଛି ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍ । ବିଶ୍ୱର ତୈଳ ଓ ଗ୍ୟାସ୍‌ ପରିବହନ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ। ଇରାନ ଓ ଓମାନ ମଧ୍ୟରେ ଏହି ଜଳପଥରେ ଜାହାଜ ଚଳାଚଳକୁ ନେଇ ଏକ ବୁଝାମଣା ହେଉଥିବା ଖବର ଆସିଥିଲା । ଏହି ବୁଝାମଣାର କିଛି ଅଂଶକୁ ଆମେରିକା ବିରୋଧ କରୁଛି । ଏପଟେ ଟ୍ରମ୍ପ ହର୍ମୁଜ୍‌ ଷ୍ଟ୍ରେଟ୍‌କୁ ନେଇ ଆହୁରି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ଏହି ଜଳପଥକୁ ଆମେରିକାର ଅଞ୍ଚଳ ଭାବେ ଦର୍ଶାଇଥିବା ଏକ ମାନଚିତ୍ର ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଇରାନ ଏହାକୁ ତୀବ୍ର ବିରୋଧ କରିଛି । ସବୁଠାରୁ ବଡ଼ କଥା ହେଉଛି, ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନାର ସମ୍ଭାବନା ମଧ୍ୟ ଏବେ ଦୁର୍ବଳ ହୋଇପଡ଼ିଛି। ଟ୍ରମ୍ପ କହିଛନ୍ତି ଯେ ଇରାନ ସହ କୌଣସି ଆଲୋଚନା ଚାଲିନାହିଁ କିମ୍ବା ନିର୍ଦ୍ଧାରିତ ହୋଇନାହିଁ । ଅନ୍ୟପଟେ ଇରାନ ହର୍ମୁଜ୍‌ ଷ୍ଟ୍ରେଟ୍‌ ଖୋଲିବା ପାଇଁ ଆମେରିକାର କିଛି ଦାବି ପୂରଣ ହେବା ଆବଶ୍ୟକ ବୋଲି କହିଛି ।
ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି। ହର୍ମୁଜ୍‌ ଦେଇ ଜାହାଜ ଚଳାଚଳ କମିବାରୁ ତୈଳ ଦର ବଢ଼ିଛି । ବ୍ରେଣ୍ଟ୍‌ କ୍ରୁଡ୍‌ ଅଏଲ୍‌ର ଦର ୯୦ ଡଲାର ଉପରକୁ ଯାଇଥିବା ରିପୋର୍ଟ ଆସିଛି। ଯଦି ସଙ୍କଟ ଆହୁରି ବଢ଼େ, ତେବେ ତୈଳ ଯୋଗାଣ ସହ ବିଶ୍ୱ ବଜାର ଉପରେ ମଧ୍ୟ ବଡ଼ ପ୍ରଭାବ ପଡ଼ିବା ଆଶଙ୍କା ରହିଛି ।