ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଆଜି ନିରବୀ ଯାଇଛି ସ୍ବର ସାଧକଙ୍କ କଣ୍ଠ। ଆଉ ଶୁଭିବନି ସେହି ସୁମଧୁର ସଙ୍ଗୀତ। ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଦୁଃଖଦ ଖବର । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ନିଜର ମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ‘ମାଝିରେ ଠୁ’ଠାରୁ ‘ନିଝୁମ ରାତି’ ଭଳି ଅନେକ ଲୋକପ୍ରିୟ ଗୀତ ତାଙ୍କ କଣ୍ଠରେ ଜୀବନ୍ତ ହୋଇଥିଲା । ଦୀର୍ଘ ଦିନ ଧରି ଓଡ଼ିଆ ସଙ୍ଗୀତପ୍ରେମୀଙ୍କୁ ନିଜ ସୁରିଲା କଣ୍ଠରେ ମନୋରଞ୍ଜନ କରିଆସିଥିବା ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଗୀତ ଓ ସଙ୍ଗୀତ ପ୍ରତି ଅବଦାନ ସବୁବେଳେ ଶ୍ରୋତାଙ୍କ ମନରେ ସ୍ମରଣୀୟ ହୋଇ ରହିବ ।
