ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ) : ୨୭ ଦେଶ, ୧୮୭ ଆଥଲେଟ । ମିନି ବିଶ୍ୱ ପାଲଟିଥିଲା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ। ଗୋଟିଏ ପଡ଼ିଆରେ ଏକାଠି ହୋଇଥିଲେ ଦେଶ ବିଦେଶର ଅନେକ ଖ୍ୟାତନାମା ଖେଳାଳି। ଅନୁଷ୍ଠିତ ହୋଇଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲଭର ଲେବୁଲ ପ୍ରତିଯୋଗିତା। ସଫଳତାର ସହ ପ୍ରତିଯୋଗିତା ଶେଷ ହୋଇଥିବାବେଳେ ନିରାଶ କରିଛନ୍ତି ଓଡ଼ିଆ ଆଥଲେଟ।

ଘରୋଇ ମାଟିରେ ୮୮ ଜଣ ଭାରତୀୟ ଏବଂ ୯୯ଜଣ ଆନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ମୋଟ ୧୮ ଟି ଇଭେଣ୍ଟରେ ହୋଇଥିଲା କଡ଼ା ମୁକାବିଲା। ଭାରତୀୟ ଦଳରେ ଥିବା ୬ ଓଡ଼ିଆ ଆଥଲେଟଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ୧୦୦ ମିଟର ମହିଳା ହର୍ଡଲସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ, ୧୦୦ ମିଟର ଦୌଡ଼ରେ ଶ୍ରାବଣୀ ନନ୍ଦ, ପୁରୁଷ ୮୦୦ ମିଟରରେ ବାପି ହାଁସଦା, ହାଇଜମ୍ଫରେ ସ୍ୱାଧୀନ ମାଝୀ, ପୁରୁଷ ୧୦୦ ମିଟରରେ ଓଡ଼ିଶାର ଦୃତ୍ତତମ ଧାବକ ଅନିମେଷ କୁଜୁର, ଜାଭେଲିନ ଥ୍ରୋ ରେ କିଶୋର ଜେନା ଭାଗ ନେଇଥିଲେ ବି ନିରାଶ କରିଛନ୍ତି। ଶ୍ରାବଣୀ ଓ ଅନିମେଶ ୧୦୦ ମିଟରରେ ଷଷ୍ଠ ସ୍ଥାନରେ ରହିଛନ୍ତି। ସେପଟେ ମହିଳା ୪୦୦ମିଟରରେ ଦୌଡ଼ରେ ପ୍ରଥମ ୩ତିନୋଟି ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ଖେଳାଳି। ସେହିପରି ମହିଳା ହାଇଜମ୍ପରେ ପ୍ରଥମ ତିନୋଟି ସ୍ଥାନ, ୮୦୦ମିଟରରେ ଦ୍ଵିତୀୟ, ମହିଳା ୧୫୦୦ମିଟରରେ ଉଭୟ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ଆଥଲେଟ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଣ୍ଟିନେଣ୍ଟାଲ ଟୁର ସିଲଭର ଲେବୁଲ ପ୍ରତିଯୋଗିତା ଦ୍ୱାରା ଓଡିଶାକୁ ଆଉ ଏକ ସୁଯୋଗ ମିଳିଥିଲା ଯାହା ଆଜି ସାକାର ହୋଇଛି । ଷ୍ଟାଡିୟମକୁ ନେଇ ବିଦେଶୀ ଖେଳାଳି ସମର୍ଥନ ଦେଇଛନ୍ତି। ଯାହା ଆମକୁ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଶା ଅଛି ଆଗାମୀ ଦିନରେ ଗୋଲ୍ଡ ଲେବୁଲ ପ୍ରତିଯୋଗିତା କରିବାକୁ। ଏନେଇ ଆମେ ପ୍ରସ୍ତୁତ ଅଛୁ, ଏଏଫଆଇ କୁ ପ୍ରସ୍ତାବ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆସନ୍ତବର୍ଷ ବିଶ୍ୱ ଇଣ୍ଡୋର ଅଥଲେଟିକ ଏବଂ ଏସିଆନ ଇଣ୍ଡୋର ଅଥଲେଟିକ ପ୍ରତିଯୋଗିତା ଆୟୋଜନ କରିବ ଓଡିଶା। ଏଥସହ ବିଶ୍ୱ ଜୁନିୟର ଏବଂ ସିନିୟର ଆଥଲେଟିକ୍ସ ଆୟୋଜନ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ବିଡିଂ ପାଇଁ ପ୍ରସ୍ତୁତ ହେଉଛି ।