ସମ୍ବଲପୁର,(ସତ୍ୟପାଠବ୍ୟୁରୋ): ହୀରାକୁଦ ବନ୍ଧ ନିର୍ମାଣରେ ଭିଟାମାଟି ହରାଇଥିବା ବିସ୍ଥାପିତଙ୍କ ଦୁଃଖର କାହାଣୀ ସାତ ଦଶନ୍ଧି ପରେ ବି ଶେଷ ହୋଇନାହିଁ। ଜମିର ଅଧିକାର ଓ ପଟ୍ଟା ଦାବିରେ ଚାଲିଥିବା ଅନଶନ ଧର୍ମଘଟ ଆଜି ୫୮ ଦିନରେ ପହଞ୍ଚିଛି l ଦୀର୍ଘ ଦିନର ଅନଶନ ସତ୍ତ୍ୱେ ମଧ୍ୟ ସମାଧାନର ବାଟ ନ ବାହାରୁ ନଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଅନଶନସ୍ଥଳରେ ପହଞ୍ଚିଥିଲେ। ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ପ୍ରମୁଖ ଆନ୍ଦୋଳନକାରୀ ଓ ଜନ ଆନ୍ଦୋଳନର ସଂଯୋଜକ ଫଣୀନ୍ଦ୍ର ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ l ଆଲୋଚନା ସମୟରେ ବିସ୍ଥାପିତ ପରିବାରଗୁଡ଼ିକ ରଖିଥିବା ୧୮ ଦଫା ଦାବିର ସମାଧାନ ପାଇଁ ପଦକ୍ଷେପ ନେବା ଏବଂ ବିସ୍ଥାପିତଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢ଼େଇ ଜାରି ରହିବ ବୋଲି ପ୍ରତିନିଧିମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ l ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ମଧ୍ୟ ବିରୋଧୀ ଦଳର ନେତୃତ୍ୱ ପକ୍ଷରୁ କୁହାଯାଇଛି। କିଲାସମା ମୌଜା ଅନ୍ତର୍ଗତ ବୁଡ଼ି ପଧାନପାଲି, ଘାଟିପଡ଼ା, ନାଗପଡ଼ା ଓ ଗୁଞ୍ଚାମାଲ ଅଞ୍ଚଳରେ ପୁନର୍ବସତି ସ୍ଥାପନ କରି ଅନେକ ବିସ୍ଥାପିତ ପରିବାର ପିଢ଼ି ପରେ ପିଢ଼ି ରହିଆସୁଛନ୍ତି। ଦୀର୍ଘ ସତୁରି ବର୍ଷ ଧରି ଉପଲବ୍ଧ ସରକାରୀ ଜମିକୁ ନିଜ ଶ୍ରମରେ ଚାଷଯୋଗ୍ୟ କରି ସେମାନେ ଜୀବିକା ନିର୍ବାହ କରୁଥିବା ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି l