ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଖୋଲା ବଜାରରେ ରନ୍ଧନ ଗ୍ୟାସ୍‌ ବିକ୍ରି ମନା କରିବା ସହ ୫ କେଜି ଗ୍ୟାସ୍‌ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବେଆଇନ ଗ୍ୟାସ୍ କାରବାର ରୋକିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଆଉ ଖୋଲା ବଜାରରେ କେହି ଗ୍ୟାସ୍‌ ବିକ୍ରି କରିପାରିବେ ନାହିଁ। କେବଳ ଲାଇସେନ୍ସପ୍ରାପ୍ତ ଏଜେନ୍ସିମାନେ ବିକ୍ରି କରିବେ। ଖୋଲାବଜାରରେ କଳାବଜାରୀ କରାଯାଉଥିବାରୁ ଗ୍ୟାସ୍ ସଙ୍କଟ ସୃଷ୍ଟି ହେଉଛି। ଏହା ସହ ୫ କେଜି ଗ୍ୟାସ୍‌ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ମନ୍ତ୍ରୀ କହିଛନ୍ତି। ଗ୍ୟାସ୍ କଳାବଜାରୀ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କେହି ବିରୋଧ କରୁନାହାନ୍ତି। ଏହା ହେବାର ଆବଶ୍ୟକତା ରହିଛି। କିନ୍ତୁ ପାଞ୍ଚ କେଜି ସିଲିଣ୍ଡର ବ୍ୟବହାର ପଛର ବାସ୍ତବତାକୁ ସରକାର ଓ ଯୋଗାଣ ମନ୍ତ୍ରୀ ଅନୁଭବ ନ କରି ଅତର୍କିତ ଭାବେ ଏପରି ନିଷ୍ପତ୍ତି ନେବା ଉପରେ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି।