ଭବାନୀପାଟଣା, (ସତ୍ୟପାଠବ୍ୟୁରୋ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନ ବରାଡୋଙ୍ଗା ଗାଁରେ ଭାଲୁ ଆତଙ୍କ ଦେଖାଯାଇଛି। ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଗାଁର ବଲସିଂ ଦଳପତି । ସୂଚନା ଅନୁସାରେ, ଆଜି ଭୋର ସମୟରେ ବଲସିଂ ଶୌଚ ପାଇଁ ଘରୁ ବାହାରି ଗାଁ ପୋଲ ନିକଟକୁ ଯାଇଥିଲେ । ତେବେ ସେଠାରେ ହଠାତ୍ ଏକ ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଭାଲୁଟି ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ଆଖପାଖର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବଲସିଂଙ୍କୁ କୋକସରା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭାଲୁକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ବଢ଼ୁଥିବାରୁ ସତର୍କ ରହିବାକୁ ଲୋକେ ଦାବି କରିଛନ୍ତି । ବନ ବିଭାଗ ପକ୍ଷରୁ ମଧ୍ୟ ଘଟଣା ସମ୍ପର୍କରେ ନଜର ରଖାଯାଉଛି ।