ଆରୋ(ସତ୍ୟପାଠବ୍ୟୁରୋ) :ସୁଇଜରଲ୍ୟାଣ୍ଡର ଜୁରିକ୍ ର ଉତ୍ତରାଞ୍ଚଳରେ ଥିବା ଆରୋ ସହରରେ ଆୟୋଜିତ ଏକ ରେଭ୍ ପାର୍ଟି ଚାଲିଥିବା ବେଳେ ଅନ୍ଧାଧୁନ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ଆରୋ ରେଭ୍ପାର୍ଟିରେ ପ୍ରାୟ ୩,୫୦୦ ଲୋକ ଏକାଠି ହୋଇଥିବା ବେଳେ, ରବିବାର ଭୋର ସମୟରେ ଅଚାନକ ଗୁଳିଚାଳନା ହୋଇଥିଲା। ଘଟଣାପରେ ବିଶାଳ ସୁରକ୍ଷା ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଘୋଡ଼ାଦୌଡ଼ ପଡ଼ିଆରେ ଅନୁଷ୍ଠିତ ଏହି ରେଭ୍ ପାର୍ଟିରେ ଏକ ବଡ଼ ଜନସମାବେଶକୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ଅନ୍ଧାଧୁନ ଗୁଳିଚାଳନା କରିଥିଲେ। ଆକ୍ରମଣକାରୀଙ୍କ ପରିଚୟ, ଗୁଳିକାଣ୍ଡର ପ୍ରକୃତ କାରଣ ଓ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ଛାନବିନ୍ ଓ ପାଟ୍ରୋଲିଂ ଜାରି ରହିଛି।