ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଓଡ଼ିଶା ପୁଲିସ୍ ଡିଜିପି ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଦାୟର ଜନସ୍ବାର୍ଥ ମାମଲାକୁ ନେଇ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ। ସୁପ୍ରିମକୋର୍ଟଙ୍କ ଐତିହାସିକ ୨୦୦୬ ପ୍ରକାଶ ସିଂହ ମାମଲାର ଗାଇଡଲାଇନକୁ ଉଲ୍ଲଂଘନ କରି ଓଡ଼ିଶା ସରକାର ନିଜ ପସନ୍ଦର ଜଣେ ଜୁନିଅର ଅଫିସରଙ୍କୁ ଡିଜିପି ରେସରେ ସାମିଲ କରିବା ପାଇଁ ରାତିାରାତି ପଦୋନ୍ନତି ଦେଇଥିବା ଅଭିଯୋଗ ହୋଇଛି‌। ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହାପୂର୍ବରୁ ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟ ୟୁପିଏସସିକୁ ସ୍ଥାୟୀ ଡିଜିପି ଚୟନ ବୈଠକ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ‌।

ଏହାପରେ ଅଗଷ୍ଟ ୧୮ରେ ହୋଇଥିବା ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଜବାବ ରେକର୍ଡଭୁକ୍ତ ହୋଇନଥିବାରୁ କୋର୍ଟ ଆଜିକୁ ଶୁଣାଣି ଧାର୍ଯ୍ୟ କରିଥିଲେ‌। ଓଡ଼ିଶା ସରକାର କୋର୍ଟରେ କାଉଣ୍ଟର ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ, ଆଇପିଏସ୍ ଅଫିସରମାନଙ୍କ ପଦୋନ୍ନତି ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟା ଏବଂ ଏଥିରେ କୌଣସି ନିୟମ ଉଲ୍ଲଂଘନ କରାଯାଇ ନାହିଁ‌। ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଓଡ଼ିଶା ପୋଲିସର ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି‌। ଆଜି ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କ ପକ୍ଷ ଓ ୟୁପିଏସସିର ଯୁକ୍ତିକୁ ଅନୁଧ୍ୟାନ କରି ସ୍ଥାୟୀ ଡିଜିପି ନିଯୁକ୍ତି ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିପାରନ୍ତି‌।