ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରର ସର୍ବପୁରାତନ ଓ ପ୍ରସିଦ୍ଧ ଦୁର୍ଗାପୂଜା ମଣ୍ଡପମାନଙ୍କ ମଧ୍ୟରୁ ଅନ୍ୟତମ ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ତିଥିରେ ଚଳିତ ବର୍ଷର ଦୁର୍ଗାପୂଜା ପାଇଁ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ ପବିତ୍ର ମୃତ୍ତିକା ଅନୁକୂଳ କାର୍ଯ୍ୟ ପାରମ୍ପରିକ ରୀତିନୀତି ଓ ଧାର୍ମିକ ବିଧିବିଧାନ ଅନୁଯାୟୀ ସମ୍ପନ୍ନ ହୋଇଛି। ଏହି ଅବସରରେ ୧୯ ଅଗଷ୍ଟ, ବୁଧବାର ଦିନ ତୋରଣ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନୂତନ, ଆକର୍ଷଣୀୟ ଓ ଉଚ୍ଚକୋଟୀର ତୋରଣ ନିର୍ମାଣ କରିବାକୁ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାପରେ ସମିତିର ସଭାପତି ଶ୍ରୀ ବିଶ୍ଵ ପ୍ରସାଦ ମହାନ୍ତି, ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ,ଉପଦେଷ୍ଟା ଶ୍ରୀ ସୁରେଶ ଦାସ,ଶ୍ରୀ ଚନ୍ଦନ କୁମାର ପାଲିତ୍,ଶ୍ରୀ ଦିଲୀପ କୁମାର ଦାସ, ଉପସଭାପତି ଶ୍ରୀ ଆଶିଷ ମହାପାତ୍ର,ଶ୍ରୀ ଅଚ୍ୟୁତ ପ୍ରସାଦ ବେହେରା,ଶ୍ରୀ ବିଭୁଦତ୍ତ ଦାସ, କୋଷାଧ୍ଯକ୍ଷ ଶ୍ରୀ ମହିନ୍ଦ୍ର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଶ୍ରୀ ସରୋଜ କୁମାର ପାତ୍ର,ଶ୍ରୀ ସଚ୍ଚି ନନ୍ଦନ ନାୟକ,ସହ କୋଷାଧ୍ଯକ୍ଷ ଶ୍ରୀ ସୁଦର୍ଶନ ସାହୁ କାର୍ଯ୍ୟକାରୀ ସଦସ୍ୟ ବିଶ୍ୱରଞ୍ଜନ ରାୟ ଓ କର୍ମକର୍ତ୍ତା, ସଦସ୍ୟବୃନ୍ଦ ଓ ଶ୍ରଦ୍ଧାଳୁମାନେ ପଟୁଆରରେ କୁଆଖାଇ ନଦୀପଠାକୁ ଯାଇଥିଲେ। ସେଠାରେ ପ୍ରାୟ ଦିନ ୧୦.୩୦ ଘଟିକା ମିନିଟ୍ ସମୟରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ପବିତ୍ର ମୃତ୍ତିକା ଅନୁକୂଳ ପୂଜା ଅନୁଷ୍ଠିତ ହୋଇଥିଲା।

ଏହି ପବିତ୍ର ପୂଜାରେ ଶ୍ରୀ ଗିରୀଶ ପ୍ରସାଦ ରଥ କର୍ତ୍ତା ଭାବେ ଯୋଗଦେଇ ପୂଜାବିଧି ସମ୍ପନ୍ନ କରିଥିଲେ। ଏହି ଅବସରରେ ଦ୍ୱିପ୍ରହରରେ ମା’ଙ୍କ ନିକଟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମିତିର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରି ଏହି ପବିତ୍ର ଆୟୋଜନରେ ଯୋଗଦେଇଥିଲେ।

ମୃତ୍ତିକା ଅନୁକୂଳ ପୂଜା ପରେ ଅନୁକୂଳ ମୃତ୍ତିକାକୁ ଶ୍ରଦ୍ଧା ଓ ଭକ୍ତିର ସହିତ ଧରି ସହିଦନଗର ୱାର୍ଡ ନମ୍ବର ୩୦ ର କର୍ପୋରେଟର ଶ୍ରୀ ରାଜକିଶୋର ଦାସ ଓ ସମସ୍ତ ସଦସ୍ୟ ଏକ ବିଶାଳ ଶୋଭାଯାତ୍ରାରେ ଦୁର୍ଗାପୂଜା ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ପବିତ୍ର ମୃତ୍ତିକା ଅନୁକୂଳ କାର୍ଯ୍ୟକ୍ରମ ମା’ ଦୁର୍ଗାଙ୍କ ଆଗମନର ଶୁଭ ସଙ୍କେତ ଦେବା ସହିତ ଚଳିତ ବର୍ଷର ଦୁର୍ଗାପୂଜା ପ୍ରସ୍ତୁତିକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛି।

ଏହି ଅବସରରେ ସମିତିର ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ ମା’ ଦୁର୍ଗାଙ୍କ ଅପାର ଆଶୀର୍ବାଦରୁ ଚଳିତ ବର୍ଷର ଦୁର୍ଗାପୂଜା ଶାନ୍ତି, ଶୃଙ୍ଖଳା, ଭାଇଚାରା ଓ ସୌହାର୍ଦ୍ଦ୍ୟର ସହିତ ସମ୍ପନ୍ନ ହେଉ ବୋଲି କାମନା କରିଥିଲେ। ସମିତିର ସଭାପତି ଶ୍ରୀ ବିଶ୍ଵ ପ୍ରସାଦ ମହାନ୍ତି ମଧ୍ୟ ଚଳିତ ବର୍ଷର ଦୁର୍ଗାପୂଜାକୁ ସଫଳ, ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସମିତିର ସମସ୍ତ ସଦସ୍ୟ, ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ।

ଶେଷରେ ସହିଦନଗର ଦୁର୍ଗାପୂଜା ସମିତି ତରଫରୁ ସମ୍ପାଦକ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ମିଡିଆ ସଂଯୋଜକ, ପୋଲିସ ପ୍ରଶାସନ, ପ୍ରଶାସନିକ ଅଧିକାରୀ, ସମସ୍ତ ଶ୍ରଦ୍ଧାଳୁ, ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଏହି ପବିତ୍ର ଆୟୋଜନରେ ସହଯୋଗ ଓ ଉପସ୍ଥିତି ପାଇଁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ।