ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତକାଲି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କାଡେଟ୍ ସବ-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ଆଉ ଆଜି ଏ ପ୍ରସଙ୍ଗରେ ସରକାରକୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ | ଏହି ବ୍ୟାଚର ନିଯୁକ୍ତି ବିଜେଡି ସରକାର ସମୟରେ ହୋଇଥିଲା | ୨ ବର୍ଷ ଟ୍ରେନିଂ ନେଇ ଅଧିକାରୀମାନେ କାର୍ଯ୍ୟରେ ଯୋଗଦେବା ବେଳକୁ ମୁଖ୍ୟମନ୍ତ୍ରୀ ବାଃ ବାଃ ନେଉଛନ୍ତି | ହେଲେ ଗତବର୍ଷ ପ୍ରଶ୍ନପତ୍ର ଲିକ୍ ପାଇଁ ବାତିଲ ହୋଇଥିବା SI ପରୀକ୍ଷା ସରକାର କେବେ କରିବେ ବୋଲି ନବୀନ ପ୍ରଶ୍ନ କରିଛନ୍ତି | କେବେ ଦୋଷୀମାନଙ୍କୁ ଦଣ୍ଡ ମିଳିବ? ହଜାର ହଜାର ଆଶାୟୀଙ୍କ ପ୍ରାୟ ଏକ ବର୍ଷ ବିଜେପି ସରକାର ନଷ୍ଟ କରି ସାରିଲାଣି କହି ନବୀନ କଡା ଟାର୍ଗେଟ କରିଛନ୍ତି |
ଟ୍ୱିଟ କରି ନବୀନ ଲେଖିଛନ୍ତି, ଗୋଟିଏ ପଟେ ସବ୍-ଇନ୍ସପେକ୍ଟର୍ ବ୍ୟାଚ୍ ପ୍ରଶିକ୍ଷଣ ଶେଷ କରି ନିଯୁକ୍ତି ପାଉଥିବା ବେଳେ, ଅନ୍ୟ ପଟେ ହଜାର ହଜାର ଆଶାୟୀ ପେପର୍ ଲିକ୍ ଯୋଗୁଁ ଏବେ ବି ଅନିଶ୍ଚିତତାରେ। ଶୁକ୍ରବାର ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଅନୁଷ୍ଠିତ ୧୩ତମ ବ୍ୟାଚ୍ ଏସ.ଆଇ ଅଧିକାରୀମାନଙ୍କ ଦୀକ୍ଷାନ୍ତ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଲାମୀ ଗ୍ରହଣ କଲେ। ହେଲେ ପ୍ରକୃତ କଥା ହେଉଛି, ଦୁଇ ବର୍ଷର ପ୍ରଶିକ୍ଷଣ ସାରି ଓଡ଼ିଶା ପୋଲିସରେ ଯୋଗ ଦେଇଥିବା ଏହି ୩୩୬ ଜଣ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା।
ନବନିଯୁକ୍ତ ସମସ୍ତ ଅଧିକାରୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ନ୍ୟାୟିକ ବ୍ୟବସ୍ଥାକୁ ମଜଭୁତ କରିବା ସହ ଲୋକଙ୍କ ସେବାର ଦୃଢ଼ ସଙ୍କଳ୍ପ ନେଇ ସମସ୍ତେ କାର୍ଯ୍ୟ କରନ୍ତୁ। ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, କିଛି ନ କରି ମିଛ ଶ୍ରେୟ ନେବାକୁ ବିଜେପି ସରକାର ଆଗରେ। ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ, ପ୍ରଶ୍ନପତ୍ର ଲିକ୍ ପାଇଁ ୨୦୨୫ରେ ବାତିଲ ହୋଇଥିବା ‘କମ୍ବାଇନ୍ଡ ପୋଲିସ ସର୍ଭିସ୍ ପରୀକ୍ଷା’ କେବେ ହେବ? କେବେ ପ୍ରଶ୍ନପତ୍ର ବିକ୍ରି ଓ ଲିକ୍ ରାକେଟ୍ରେ ସମ୍ପୃକ୍ତ ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବ?
ହଜାର ହଜାର ଯୁବକ, ଯୁବତୀଙ୍କ ପ୍ରାୟ ଏକ ବର୍ଷ ସମୟ ବିଜେପି ସରକାର ନଷ୍ଟ କରି ସାରିଲାଣି। ଡବଲ୍ ଇଞ୍ଜିନ୍ ସରକାରର ଅପାରଗତା ଓଡ଼ିଶାର ଯୁବ ସମାଜକୁ ହତାଶ କରିଛି। ଆଶାୟୀଙ୍କ ସ୍ୱପ୍ନ ଓ ଭବିଷ୍ୟତକୁ ବିଜେପି ସରକାର ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ଏହି ବିଳମ୍ବ ସେମାନଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରୁଛି। ସରକାରୀ ନିଯୁକ୍ତିରେ ନିରପେକ୍ଷତା ଓ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ଭରସାକୁ ମଧ୍ୟ ଏହା କ୍ଷତି ପହଞ୍ଚାଉଛି। ସରକାର ତୁରନ୍ତ ଏହି ପରୀକ୍ଷା ପୁନଃ ଆୟୋଜନ ନେଇ ବିଜ୍ଞପ୍ତି ପ୍ରକାଶ କରନ୍ତୁ। ଓଡ଼ିଶାବାସୀ ବିଜେପି ସରକାରର ମିଛ ଭାଷଣ ଶୁଣିବାକୁ ଆଉ ଚାହୁଁ ନାହାନ୍ତି, ପ୍ରତାରଣାର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ନବୀନ ଲେଖିଛନ୍ତି।
ତେବେ ସରକାର ଏହି ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ CBI କୁ ହସ୍ତାନ୍ତର କରିଥିବା ବେଳେ ପରୀକ୍ଷା କଥାକୁ ନେଇ ସପୂର୍ଣ ନିରବ ରହିଛନ୍ତି | ନବୀନଙ୍କ ଏହି ପୋଷ୍ଟ ନେଇ ମଧ୍ୟ ସରକାରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |
