ରାଉରକେଲା,(ସତ୍ୟପାଠବ୍ୟୁରୋ): ରାଉରକେଲାର ବହୁ ଚର୍ଚ୍ଚିତ ସର୍କିଟ ହାଉସ ବନ୍ଧୁକ ଜବତ ଘଟଣାରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପ୍ରକାଶ ପାସୱାନର ବେଆଇନ ଅଫିସକୁ ଭାଙ୍ଗି ଦେଇଛି ବନ ବିଭାଗ । ସଂରକ୍ଷିତ ଜଙ୍ଗଲ ଜମି ଉପରେ ଏହି ଅଫିସ ନିର୍ମାଣ କରି ପ୍ରକାଶ ନିଜର ଅପରାଧ ସିଣ୍ଡିକେଟ ଚଳାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଅାଧାରରେ ଆଜି ସକାଳୁ ବନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷାକର୍ମୀଙ୍କ କଡ଼ା ପ୍ରହରା ମଧ୍ୟରେ ବେଆଇନ ଅଫିସକୁ ସମ୍ପୂର୍ଣ୍ଣ ଭାବେ ଧୂଳିସାତ କରାଯାଇଛି। ସୂଚନାଯୋଗ୍ୟ, ସର୍କିଟ ହାଉସରୁ ବନ୍ଧୁକ ଜବତ ଘଟଣାରେ ପୋଲିସ ପ୍ରକାଶ ପାଶୱାନକୁ ପୂର୍ବରୁ ଗିରଫ କରିଥିଲା । ତେବେ ରିମାଣ୍ଡ ଅବଧି ଶେଷ ହେବା ପରେ ବର୍ତ୍ତମାନ ସେ ଜେଲରେ ଅଛି। ଅଭିଯୁକ୍ତର ଅପରାଧିକ ସାମ୍ରାଜ୍ୟ ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ବୁଲଡୋଜର ଆକ୍ସନ ନିଆଯାଇଥିବା ଚର୍ଚ୍ଚା ହେଉଛି । ପ୍ରକାଶ ଏହି ଅଫିସକୁ କେନ୍ଦ୍ର କରି ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଚଳାଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।