ରାୟଗଡ଼ା, (ସତ୍ୟପାଠବ୍ୟୁରୋ) : ସପ୍ତାହେ ହେଲାଣି ଗାଁରେ ବ୍ୟାପୀବାର ଲାଗିଛି ଅଜଣା ଜ୍ବର। ପିଲାଠୁ ବୟସ୍କ ସମସ୍ତେ ଜ୍ବରରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଗାଁକୁ କୌଣସି ଡାକ୍ତର ଟିମ୍୍ ମଧ୍ୟ ପଠାଯାଇ ନାହିଁ। ଫଳରେ ଏଠାକାର ଲୋକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଦେଖାଯାଇଛି। ଗତ କିଛି ଦିନ ତଳେ ଜ୍ବରରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ରାୟଗଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ବହୁଳ କାଶୀପୁର ବ୍ଲକରେ ଜ୍ବର ବ୍ୟାପୀ ଥିବା ଜଣାଯାଇଛି। ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ କଞ୍ଚଗୁମା ଗ୍ରାମରେ ପ୍ରାୟ ଏକ ସପ୍ତାହ ହେଲା ଲୋକଙ୍କୁ ଜ୍ବର ହେଉଛି। ବ୍ଲକର ଗୋରଖପୁର ଏବଂ ଯୁବାପଦର ଗ୍ରାମ ପରେ ଏବେ କଞ୍ଚଗୁମା ଗ୍ରାମରେ ଜ୍ବରର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଗ୍ରାମର ପାଞ୍ଚ ଜ୍ବର ପୀଡ଼ିତଙ୍କୁ କାଶୀପୁର ସିଏଚସି ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ହେଲେ ସୁରେନ୍ଦ୍ର ନାଏକ ପୁଅ ଦେବାଶିଷ ନାଏକ ସିଏଚସିରେ ଚିକିତ୍ସିତ ହେଉଥିବା ବେଳେ ପୁଅର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ପିତା ସୁରେନ୍ଦ୍ର କହିଛନ୍ତି। ଗ୍ରାମର ବହୁ ଜଣ ଜ୍ବର ଝାଡା ଭଳି ରୋଗରେ ପୀଡିତ ଥିବା ବେଳେ ଚିକିତ୍ସା ପାଇଁ ହେଲଥ ଟିମ ପହଞ୍ଚି ନ ଥିବାର ଅଭିଯୋଗ ହୋଇଛି। ବିଭିନ୍ନ ପିଏଚସି ଏବଂ ସିଏଚସି ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ଚିକିତ୍ସାରେ ସମସ୍ୟା ଦେଖାଦେଇଛି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଜ୍ବରରେ ପୀଡ଼ିତ ଯୁବାପଦର ଗ୍ରାମର ଦୁଇ ଶିଶୁଙ୍କ ମୃତ୍ୟୁ ହୋଇ ଥିବାବେଳେ ବହୁଜଣ ଟାଇଫଏଡ଼ ଆକ୍ରାନ୍ତ ଥିବାର ରକ୍ତ ନମୁନା ଜଣା ପଡିଥିଲା। ପ୍ରଭାବିତ ଗ୍ରାମକୁ ତୁରନ୍ତ ହେଲଥ ଟିମ୍ ଯାଇ ଲୋକଙ୍କ ଉପଯୁକ୍ତ ଚିକିତ୍ସା କରାଯିବାରେ ଗ୍ରାମବାସୀଙ୍କ ଦାବି ହେଉଛି।
