ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ତଥା ଉତ୍ତର ପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ କରାଯାଇଛି। ଶନିବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଭବନରୁ ତାଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଡକ୍ଟର ଦିନେଶ ଶର୍ମା ଆନୁଷ୍ଠାନିକ ଭାବେ ନିଜର ପଦଭାର ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।
ଡକ୍ଟର ଦିନେଶ ଶର୍ମା ଉତ୍ତର ପ୍ରଦେଶ ରାଜନୀତିର ଜଣେ ଜଣାଶୁଣା ଚେହେରା। ୬୨ ବର୍ଷୀୟ ଶର୍ମା ପୂର୍ବରୁ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ନଭେମ୍ବର ୨୫ରେ ଶେଷ ହେବାର ଥିଲା। ସେ ରାଜ୍ୟସଭାର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ସରକାରୀ କାଳରେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ଏହାବ୍ୟତୀତ ସେ ଲକ୍ଷ୍ନୌର ମେୟର୍ ଏବଂ ଦଳୀୟ ସଂଗଠନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କର ଏହି ପ୍ରଶାସନିକ ଓ ରାଜନୈତିକ ଦକ୍ଷତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ ଏହି ସମ୍ମାନଜନକ ସାମ୍ବିଧାନିକ ଦାୟିତ୍ୱ ପ୍ରଦାନ କରିଛନ୍ତି।