ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦେଶକ (ଡିଜିପି) ଚୟନ ଓ ଏମ୍ପାନେଲମେଣ୍ଟକୁ ନେଇ ଚାଲିଥିବା ଆଇନଗତ ବିବାଦ ଏବେ ନୂଆ ମୋଡ଼ ନେଇଛି। ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥ ମାମଲାରେ ହସ୍ତକ୍ଷେପ ପାଇଁ ଆବେଦନ କରିବା ସହ ଡିଜିପି ଚୟନ ପାଇଁ ରାଜ୍ୟ ସରକାର ୟୁପିଏସ୍ସିକୁ ପଠାଇଥିବା ପ୍ରସ୍ତାବରେ ତାଙ୍କୁ ସାମିଲ ନକରାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୧୬ରେ ହେବ।
ସୁଶାନ୍ତଙ୍କ ପକ୍ଷରୁ ଉଠାଯାଇଥିବା ପ୍ରସଙ୍ଗ ଉପରେ ଏକ ରିଜଏଣ୍ଡର ଆଫିଡେଭିଟ୍ ଦାଖଲ ହେବାର ଆଶା କରାଯାଉଛି। ଡିଜିପି ଚୟନ ପ୍ରକ୍ରିୟାରେ ତାଙ୍କୁ କାହିଁକି ବିଚାରକୁ ନିଆଯାଇନଥିଲା, ସେ ସମ୍ପର୍କିତ ପ୍ରସଙ୍ଗ ଆଗାମୀ ଶୁଣାଣିରେ ଗୁରୁତ୍ୱ ପାଇପାରେ।
ମାମଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସୁଶାନ୍ତ କୁମାର ନାଥଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍। ଡିଜିପି ପଦ ପାଇଁ ଅଧିକାରୀଙ୍କ ଏମ୍ପାନେଲମେଣ୍ଟ ନିମନ୍ତେ ରାଜ୍ୟ ସରକାର ଯେଉଁ ତଥ୍ୟ ଓ ଦଲିଲ ୟୁପିଏସ୍ସିକୁ ପ୍ରଦାନ କରିଥିଲେ, ସେଥିରେ ସୁଶାନ୍ତଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ଦିଆଯାଇଥିଲା କି ନାହିଁ, ତାହା ନେଇ ଅମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ଲିଖିତ ଯୁକ୍ତିରେ ପ୍ରଶ୍ନ ଉଠିଛି। ଏହା ବ୍ୟତୀତ ଡିଜିପି ଏମ୍ପାନେଲମେଣ୍ଟ ପ୍ରକ୍ରିୟାରେ ଦୁଇଜଣ ଅଧିକାରୀଙ୍କ ପଦୋନ୍ନତି ଓ ପରବର୍ତ୍ତୀ ସମୟରେ ସେମାନଙ୍କ ବିଚାରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।
ଡିଜିପି ଚୟନ ପାଇଁ ଅଧିକାରୀଙ୍କ ଏମ୍ପାନେଲମେଣ୍ଟରେ ୟୁପିଏସ୍ସି ନିର୍ଦ୍ଧାରିତ ମାନଦଣ୍ଡ ଠିକ୍ ଭାବରେ ପାଳନ କରାଯାଇଥିଲା କି ନାହିଁ, ଅମିକସ୍ କ୍ୟୁରିଆଙ୍କ ଲିଖିତ ଯୁକ୍ତିରେ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସେପ୍ଟେମ୍ବର ୩ରେ ଅମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ଲିଖିତ ଯୁକ୍ତି ଦାଖଲ ହୋଇଥିବା ବେଳେ ଏହାକୁ ବେଞ୍ଚଙ୍କ ବିଚାର ପାଇଁ ପ୍ରସାରିତ କରାଯାଇଛି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲାରେ ଯୁକ୍ତି ରଖୁଥିବା ସଲିସିଟର ଜେନେରାଲ୍ ତୁଷାର ମେହତା ଅମିକସ୍ କ୍ୟୁରି ଓ ବରିଷ୍ଠ ଆଇନଜୀବୀଙ୍କ ଦାଖଲ ଯୁକ୍ତିର ଜବାବ ଦେବାକୁ ଅଧିକ ସମୟ ମାଗିଛନ୍ତି।
ଏହି ମାମଲା Writ Petition (Civil) No. 310 of 1996, Prakash Singh & Ors. vs Union of India & Ors. ସହ ସମ୍ପୃକ୍ତ। ଏହା ସହ ଏକାଧିକ Interlocutory Applications ମଧ୍ୟ ରହିଛି। ପୂର୍ବରୁ ମାମଲାଟି ସେପ୍ଟେମ୍ବର ୭ରେ ଶୁଣାଣି ପାଇଁ ତାଲିକାଭୁକ୍ତ ଥିଲା। ତେବେ ଏବେ ଏହାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬କୁ ଧାର୍ଯ୍ୟ ହୋଇଛି।
ଆଗାମୀ ଶୁଣାଣିରେ ସୁଶାନ୍ତ କୁମାର ନାଥଙ୍କ ହସ୍ତକ୍ଷେପ ଆବେଦନ, ତାଙ୍କୁ ଏମ୍ପାନେଲମେଣ୍ଟ ପ୍ରକ୍ରିୟାରୁ ବାଦ ଦେବା ସମ୍ପର୍କିତ ପ୍ରସଙ୍ଗ, ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ର ସ୍ଥିତି ଏବଂ ଅମିକସ୍ କ୍ୟୁରିଆଙ୍କ ଉଠାଇଥିବା ପ୍ରକ୍ରିୟାଗତ ପ୍ରଶ୍ନ ଉପରେ ଅଦାଲତରେ ଆଲୋଚନା ହେବାର ସମ୍ଭାବନା ରହିଛି।
ତେବେ ଏହି ସମସ୍ତ ପ୍ରସଙ୍ଗରେ ଅନ୍ତିମ ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ରାୟ ପରେ ହିଁ ସ୍ପଷ୍ଟ ହେବ।
