ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେପ୍ଟେମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ତିନୋଟି ନୂଆ ବୁଝାମଣା ପତ୍ର (MoU) ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି, ଯେଉଁଥିରେ ଶ୍ରୀଲଙ୍କାକୁ ଭାରତ ପକ୍ଷରୁ ଏୟାର ଡିଫେନ୍ସ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରସଙ୍ଗ ସାମିଲ ରହିଛି। ଭବିଷ୍ୟତର ଆକାଶମାର୍ଗରୁ ଆସୁଥିବା ବିପଦର ମୁକାବିଲା ପାଇଁ ଶ୍ରୀଲଙ୍କା ଭାରତରୁ ଏୟାର ଡିଫେନ୍ସ ଗନ୍ ଏବଂ ଆକାଶ ଏୟାର ଡିଫେନ୍ସ ସିଷ୍ଟମ୍ ଭଳି ସ୍ୱଳ୍ପ ଓ ମଧ୍ୟମ ଦୂରଗାମୀ ଅସ୍ତ୍ରଶସ୍ତ୍ର ନେବାକୁ ଆଗ୍ରହ ପ୍ରକାଶ କରିଛି । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ବ୍ୟତୀତ ପ୍ରସ୍ତାବିତ ଅନ୍ୟ ଦୁଇଟି ବୁଝାମଣା ଶ୍ରୀଲଙ୍କା ସେନାବାହିନୀର କର୍ମଚାରୀଙ୍କୁ ତାଲିମ ଏବଂ କ୍ଷମତା ବୃଦ୍ଧିର ପରିସର ସମ୍ପ୍ରସାରଣ ସହ ଜଡ଼ିତ। ଗସ୍ତ ସମୟରେ ଦୁଇ ଦେଶ ଗତବର୍ଷ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୀଲଙ୍କା ଗସ୍ତ କାଳରେ ସ୍ୱାକ୍ଷରିତ ୫ ବର୍ଷିଆ ବ୍ୟାପକ ପ୍ରତିରକ୍ଷା ସହଯୋଗ ଚୁକ୍ତିର ସମୀକ୍ଷା ମଧ୍ୟ କରିବେ। ଏହି ଗସ୍ତ ସମୟରେ ରାଜନାଥ ସିଂହ ଶ୍ରୀଲଙ୍କା ରାଷ୍ଟ୍ରପତି ତଥା ପ୍ରତିରକ୍ଷା ମନ୍ତ୍ରୀ ଅନୁରା କୁମାରା ଦିସାନାୟକେଙ୍କୁ ସାକ୍ଷାତ କରି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ ।
