ସୁନ୍ଦରଗଡ଼, (ସତ୍ୟପାଠବ୍ୟୁରୋ): ଭରାନଈ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ତେଲେନଡିହି ଗାଁ ଲୋକେ। ବାହ୍ୟଜଗତରୁ ଗାଁ ଲୋକେ ଏକପ୍ରକାର ବିଚ୍ଛିନ୍ନ ହୋଇ ରହୁଥିବାବେଳେ କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ଗୁରୁତର ରୋଗୀ ଭରା ନଈରେ ପଶି ଯିବା ଆସିବା କରିଥାନ୍ତି। ଚତୁର୍ଧାରା ନଦୀରେ ପାଣି ଭରିଗଲେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଏ ତେଲେନଡିହି ଗାଁ। ଅଭିଭାବକମାନେ ସ୍କୁଲ ପିଲାଙ୍କୁ କାନ୍ଧରେ ବସାଇ ଭରାନଈ ପାର ହୁଅନ୍ତି, ଆଉ ଗୁରୁତର ରୋଗୀ, ଗର୍ଭବତୀଙ୍କ ପାଇଁ ଭରସା ଖଟ। ବର୍ଷା ଦିନେ ଏଭଳି ଜଳଯନ୍ତ୍ରଣା ଭୋଗୁଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଗୋପାଳପୁର ପଞ୍ଚାୟତର ଏମ୍ସିଏଲ୍ ଅଧିକୃତ ଅଞ୍ଚଳରେ ଥିବା ତେଲେନଡିହି ଗାଁ। ଏମ୍ସିଏଲ୍ ଅଧିକୃତ (ଲିଜ୍) ଅଞ୍ଚଳର ମୋହର ଲାଗିବା ହିଁ ଗାଁ ପାଇଁ ସାଜିଛି ବିଡ଼ମ୍ବନା। ଏହାକୁ ଆଳ କରି ଏଠି ବିକାଶର ନାଁ ଧରୁନି ପ୍ରଶାସନ। ଗୋପାଳପୁର ପଞ୍ଚାୟତ ନକଟିଦେଉଳ ଓ ତେଲେନଡିହି ଗାଁ ମଝିରେ ରହିଛି ଚତୁର୍ଧାରା ନଈ। ସେତୁ ନଥିବାରୁ ଲୋକେ ନଦୀରେ ପଶି ଯାତାୟାତ କରିଥାନ୍ତି। ଖରା ଓ ଶୀତ ଦିନେ ନଦୀ ଶୁଖିଲା ଥିବା ବା ଅଳ୍ପ ପାଣି ଥିବାରୁ ଯାତାୟାତରେ ବିଶେଷ ବାଧା ହୋଇ ନଥାଏ। କିନ୍ତୁ ବର୍ଷା ଋତୁ ଆସିଲେ ଗାଁଟି ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଏ। ବର୍ଷା ସମୟରେ ନଦୀରେ ପାଣି ଭରିଗଲେ ପ୍ରାୟ ଦିନ ପିଲାମାନେ କାନ୍ଧରେ ହିଁ ପାର ହୋଇ ସ୍କୁଲ ଯାଇଥାନ୍ତି। ଅଣ୍ଟାଏ, ଛାତିଏ ପାଣିରେ ପଶି ଲୋକେ ଗୋପାଳପୁର ପଞ୍ଚାୟତକୁ ଯାଇଥାନ୍ତି। ନଦୀ ଉପରେ ସେତୁ ପାଇଁ ବିଡିଓଙ୍କଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରୁଛନ୍ତି ଗ୍ରାମବାସୀ, କିନ୍ତୁ ନିଦାବିଷ୍ଣୁ ସାଜିଛି ପ୍ରଶାସନ। ସ୍ଥାନୀୟ ଅଞ୍ଚଳର ଯୁବନେତା ରାଜେନ୍ଦ୍ର ନାଏକଙ୍କ ଅଭିଯୋଗ ମୁତାବକ ଖଣି ଲିଜ୍ ଅଞ୍ଚଳ ଦର୍ଶାଇ ପ୍ରଶାସନ କୌଣସି ବିକାଶ କାମ କରିବାକୁ ଚାହୁନାହିଁ। ହେମଗିର ବିଡିଓ ଖଣି ଲିଜ୍ ଅଞ୍ଚଳ କଟକଣା କଥା କହୁଛନ୍ତି। ଗୋପାଳପୁର ସରପଞ୍ଚ ପୂରବୀ ନାଏକ ଓ ଯୁବନେତା ଶ୍ରୀ ନାଏକ ଜିଲ୍ଲାପାଳଙ୍କୁ ଭେଟି ତେଲେନଡିହିର ଦୁର୍ଦ୍ଦଶା କଥା କହିଥିଲେ। ପକ୍କା ସେତୁ ନିର୍ମାଣ ପାଇଁ ଚିନ୍ତା କରିବା ବୋଲି କହିଥିଲେ ଜିଲ୍ଲାପାଳ। କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯେଉଁ ଅଞ୍ଚଳରୁ ସରକାରଙ୍କ ତହବିଲକୁ ହଜାର ହଜାର କୋଟିର ରାଜସ୍ବ ଯାଉଛି, ଯାହାର ବିକାଶ ପାଇଁ ରହିଛି ହଜାର କୋଟିର ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ସେଇଠି ଖଣି ଅଧିକୃତ ଅଞ୍ଚଳ ଆଳରେ ସାମାନ୍ୟ ପୋଲଟିଏ ନିର୍ମାଣ କରିବାକୁ ପ୍ରଶାସନ ପଛଘୁଞ୍ଚା ଦେବା ଦୁର୍ଭାଗ୍ୟଜନକ ବୋଲି କ୍ଷୋଭକ୍ତି ପ୍ରକାଶ ପାଇଛି। ଭରାନଈରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଥିବା ତେଲେନଡିହିର ଯନ୍ତ୍ରଣା ଯାତ୍ରା କେବେ ଶେଷ ହେବ ତାହା ଦେଖିବାକୁ ବାକି ରହିଛି।
