ବାରିପଦା, (ସତ୍ୟପାଠବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ହୃଦ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍କ୍ରିନିଂ ଯୋଗୁଁ ଚିହ୍ନଟ ହେଉଛି ଅଧିକ ମାମଲା। ଜିଲ୍ଲାର କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳର ମଧ୍ୟ କୁନି କୁନି ଶିଶୁ ମାନେ ଜନ୍ମଗତ ହୃଦରୋଗରେ ପୀଡ଼ିତ ହେଉଥିବା ଦେଖାଯାଇଛି। ପ୍ରତି ୧୦୦ ଜଣ ନବଜାତକଙ୍କ ମଧ୍ୟରେ ପ୍ରାୟ ଜଣେରୁ ୨ ଜଣ ଶିଶୁଙ୍କଠାରେ ଜନ୍ମଗତ ହୃଦରୋଗ ବା ଅନ୍ୟାନ୍ୟ ଜନ୍ମଗତ ତ୍ରୁଟି ଦେଖାଯାଉଛି। ବର୍ତ୍ତମାନ ହସ୍ପିଟାଲ ଓ ମେଡିକାଲ ସ୍ତରରେ ସିଜରିଆନ ପ୍ରସବ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପ୍ରାରମ୍ଭିକ ସ୍ତରରେ ହିଁ ସ୍କ୍ରିନିଂ କରାଯାଇ ଏହି ସମସ୍ୟା ଗୁଡ଼ିକ ଚିହ୍ନଟ ହୋଇପାରୁଛି ଏବଂ ପରିସଂଖ୍ୟାନ ତଥ୍ୟରେ ବୃଦ୍ଧି ଘଟୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। କିଛି ତଥ୍ୟ ଉପରେ ନଜର ପକାଇଲେ ଜଣାପଡ଼େ, ୨୦୨୫ରେ ୧୬୪ ଜଣଙ୍କ ସ୍କ୍ରିନିଂ ଟେଷ୍ଟ ହୋଇଥିଲା। ୭୧ ଜଣଙ୍କ ହାର୍ଟ ସମସ୍ୟା ଚିହ୍ନଟ ହୋଇଥିଲା। ୬୦ଜଣ ଶିଶୁଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଅନେକ ବସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା। ୨୦୨୬ରେ ୧୨୫ ଶିଶୁଙ୍କ ସ୍କ୍ରିନିଂ ଟେଷ୍ଟ କରାଯାଇଥିଲା ଏବଂ ୬୩ ଜଣ ଶିଶୁଙ୍କ ହୃଦରୋଗ ଥିବା ଚିହ୍ନଟ ହୋଇଥିଲା।ଏଥିମଧ୍ୟରୁ ୬୦ ଜଣଙ୍କ ଅସ୍ତ୍ରୋପଚାର ସରିଥିବା ସୂଚନା ମିଳିଛି। ସରକାର ଅନୁବନ୍ଧିତ ରାଜ୍ୟ ବାହାରର ହସ୍ପିଟାଲରେ ଏହି ଶିଶୁ ମାନଙ୍କୁ ଅସ୍ତ୍ରୋପଚାର କରାଯାଉଥିବା ଡାକ୍ତର ଜୟଦେବ ପଣ୍ଡା କହିଛନ୍ତି। ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟକ ବ୍ଲକରେ କାର୍ଯ୍ୟରତ ମୋବାଇଲ ହେଲଥ ଟିମ ଘରକୁ ଘର ଓ ସ୍କୁଲ ବା ଅଙ୍ଗନବାଡ଼ି ବୁଲି ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଜନ୍ମରୁ ୧୮ ବର୍ଷ ବୟସ ମଧ୍ୟରେ ରୋଗୀ ଚିହ୍ନଟ ହେବା ପରେ ବାରିପଦା ଡିଆଇଇସି ମାଧ୍ୟମରେ କଟକ, ଭୁବନେଶ୍ବର, କୋଲକାତା, ଅହମ୍ମଦାବାଦ ଓ ମୁମ୍ବାଇ ଭଳି ବଡ଼ ବଡ଼ ହସ୍ପିଟାଲକୁ ଅପରେସନ ଏବଂ ଚିକିତ୍ସା ପାଇଁ ପଠାଯାଉଛି। ପରିବାରର ଯାତାୟତ, ରହିବା, ଖାଇବା ଏବଂ ଗ୍ରାଣ୍ଡ ସର୍ଜରୀର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ମୟୂରଭଞ୍ଜ ଭଳି ଆଦିବାସୀ ଜିଲ୍ଲାରେ କୁନି କୁନି ଶିଶୁଙ୍କଠାରେ ହୃଦରୋଗ ଦେଖାଯାଉଥିଲେ ବି ଆରବିଏସକେ ଯୋଜନାରେ ମାଗଣା ଚିକିତ୍ସା ପାଇଁ ଅନେକ ଶିଶୁ ନୂଆ ଜୀବନ ପାଇଛନ୍ତି।